ଭଲ ଲାଭ ଦେଉଛି ମାଛ ଓ ଛତୁ ଚାଷ । ରୋହି, ଭାକୁର, ମିରକାଳି, ଗ୍ରାସକପ୍ ଭଳି ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

220

କନକ ବ୍ୟୁରୋ : ମାଛ ଓ ଛତୁ ଚାଷ ଦେଇଛି ରୋଜଗାର । ଏହି ଚାଷ ଏବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କରିଛି ଆତ୍ମନିର୍ଭରଶୀଳ । ସ୍ୱୟଂସହାୟକ ଗୋଷ୍ଠର ମହିଳା ମାନେ ପରସ୍ପର ସାହାଯ୍ୟ ସହଯୋଗରେ ମାଛ ଏବଂ ଛତୁ ଚାଷ କରି ପାଉଛନ୍ତି ସଫଳତା । ଭଲ ଦୁଇପଇସା ରୋଜଗାର କରି ପରିବାରର ଆର୍ଥିକ ସ୍ଥିତି ମଜୁଭୁତ କରିବା ସହିତ ହୋଇ ପାରିଛନ୍ତି ସ୍ୱାବଲମ୍ବୀ ।

ମାଛ ଓ ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଘର କାମ ସାରି ବଳକା ସମୟରେ ମାଛ ଓ ଛତୁ ଚାଷ କରି ରୋଜଗାର କରୁଛନ୍ତି ଦୁଇ ପଇସା । ଆମେ କହୁଛୁ କେନ୍ଦ୍ରାପଡା ଗରଦପୁର ବ୍ଲକ ଅରାବୋଳ ଗାଁର ମା’ ତାରିଣୀ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ କଥା । ନିଜର ନିଷ୍ଠା ଏବଂ ପରିଶ୍ରମ ପାଇଁ ଆଜି ପାଇ ପାରିଛନ୍ତି ସଫଳତା । ଗାଁର ପୋଖରୀକୁ ଲିଜରେ ନେଇ ଚାଷ ୨ ବର୍ଷ ହେବ ଚାଷ କରୁଛନ୍ତି । ପୋଖରୀକୁ ପରିଷ୍କାର ରଖିବା ସହ ମାଛମାନଙ୍କୁ ସଠିକ୍ ସମୟରେ ଖାଦ୍ୟ ଦେଇଥାନ୍ତି । ସମସ୍ତ କାର୍ଯ୍ୟକୁ ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବରେ ତୁଲାଇ ଥାଆନ୍ତି ।

ରୋହି, ଭାକୁର, ମିରକାଳି, ଗ୍ରାସକପ୍ ଭଳି ବିଭିନ୍ନ ପ୍ରକାରର ମାଛ ଜାଆଁଳ ପୋଖରୀରେ ଛଡ଼ାଯାଇଛି । ଜାଆଁଳ ଛାଡିବାର ୨ ବର୍ଷପରେ ଏବେ ମାଛ ଗୁଡିକ ବିକ୍ରି କରିଛନ୍ତି ଗୋଷ୍ଠିର ମହିଳାମାନେ । ପ୍ରାୟ ୨ କ୍ୱିଂଟାଲରୁ ଉର୍ଦ୍ଧ ମାଛଧରି ୨୫ ରୁ ୩୦ ହଜାର ଟଙ୍କାରେ ସ୍ଥାନୀୟ ଅଂଚଳରେ ବିକ୍ରି କରିଛନ୍ତି । ପ୍ରାୟ ୨୦ ଜଣ ମହିଳା ଏକତ୍ର ହୋଇ ୨୦୧୪ ମସିହାରେ ମା ତାରିଣୀ ସ୍ୱୟଂସହାୟକ ଗୋଷ୍ଠୀର ଗଠନ କରିଥିଲେ । ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିବା ସହିତ ସଦସ୍ୟ ମାନଙ୍କର ଆର୍ଥିକ ବିକାଶ ପାଇଁ ଉଦ୍ୟମ ଜାରିରଖିବା ସହିତ ମାଛ ଛତୁ ଚାଷ ଆରମ୍ଭ କରିଥିଲେ ।

ମା ତାରଣୀ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କର ନିଷ୍ଠା ଏବଂ ଉଦ୍ୟମ ବଳରେ ମିଳିଥିବା ସଫଳତା ଏବଂ ସ୍ୱାବଲମ୍ବୀ ହେବା ଘଟଣା ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।