ରୋଜଗାର ଦେଉଛି ବାଉଁଶ କଳା ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ସମାଗ୍ରୀ ତିଆରି କରି ଉପକୃତ ହେଉଛନ୍ତି ରାଜନଗର ଅଞ୍ଚଳର ମହିଳା

107

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନଗଡ ଗାଁର । ଏହି ଗାଁର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୩୨ଜଣ ସଦସ୍ୟା ବାଉଁଶରେ ବିଭିନ୍ନ ଉପକରଣମାନ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ମହିଳାମାନେ ହାତରେ କଟୁରୀ, କରତ, ଶେଣି, ହାତୁଡା ଧରି କିଏ ବାଉଁଶକୁ ଚିରି ବାଉଁଶ ପାତିଆରେ ଟୋକେଇ, ପାଚିଆ ତିଆରି କରୁଛି ତ ଆଉ କିଏ ଛୋଟ ଛୋଟ ଟୁଲ୍, କପ୍, ଫୁଲ ଚାଙ୍ଗୁଡି ଭଳି ବିଭିନ୍ନ ସୌଖିନ୍ ସାମଗ୍ରୀ ତିଆରି କରୁଛନ୍ତି । ଦିନକୁ ୩ ରୁ ୪ ଘଂଟା ସମୟ ଦେଇ ଏହି ମହିଳାମାନେ ବିଭିନ୍ନ ଉପକରଣ ତିଆରି କରିଥାନ୍ତି । ଏହି ଉପକରଣ ଗୁଡିକୁ ରାଜନଗର ବଜାର ସମେତ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଆଦି ବଜାର ଏବଂ ବିଭିନ୍ନ ମେଳାରେ ବିକ୍ରି କିରୁଛନ୍ତି ।

ପୂର୍ବରୁ ବାଉଁଶରେ ବିଭିନ୍ନ ଉପକରଣ ତିଆରି କରିବା ଏମାନଙ୍କର କୌଳିକ ବୃତି ଥିଲା । ଧିରେ ଧିରେ ଏହି ବୃତି ଲୋପ ପାଇବାକୁ ବସିଲା । ଏହି ବୃତିକୁ ଆଗକୁ ନେବା ପାଇଁ ଏହି ଗାଁର ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ୨ ଲକ୍ଷ ୬ ହଜାର ଟଙ୍କା ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ବାଉଁଶ ତିଆରି ଦ୍ରବ୍ୟର ବଜାରରେ ଚାହିଦା ଥିବାରୁ ବ୍ୟବସାୟ ଧିରେ ଧିରେ ବଢିବାରେ ଲାଗିଛି । ମାତ୍ର ଅର୍ଥ ଏବଂ କଂଚାମାଲ ଅଭାବରୁ ଆବଶ୍ୟକତା ଅନୁଯାୟୀ ଜିନିଷ ତିଆରି ହୋଇପାରୁନି । ଏହି ୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଘର ନଥିବାରୁ ଅନ୍ୟ ମହିଳାଙ୍କ ଘର ଓ ଅଗଣାରେ ଏହି ଦ୍ରବ୍ୟ ଗୁଡିକୁ ତିଆରି କରିବାକୁ ପଡୁଛି । ଫଳରେ ଦ୍ରବ୍ୟ ନଷ୍ଟ ହେବା ସହ ଷ୍ଟକ ରଖି ହେଉନାହିଁ । ଅନେକ ସମୟରେ ଅର୍ଡର ମିଳୁଥିଲେ ମଧ୍ୟ ଷ୍ଟକ ନଥିବାରୁ ଗ୍ରାହକମାନେ ନିରାଶ ହେଉଛନ୍ତି ।

ଏବେ ବଜାରରେ ପ୍ଲାଷ୍ଟିକ ଦ୍ରବ୍ୟର ଚାହିଦା ଥିଲେ ମଧ୍ୟ ବାଉଁଶ ଉପକରଣ ପ୍ରତି ଲୋକଙ୍କର ଆଦୃତି କମିନାହିଁ । ଅଧିକ ପ୍ରୋତ୍ସାହନ ମିଳିଲେ, ଆମେ ଆହୁରି ଅଧିକ ସାମଗ୍ରୀ ତିଆରି ବଜାରରେ ବିକ୍ରି କରିପାରନ୍ତୁ ବୋଲି କହିଛନ୍ତି ଏହି ଗ୍ରୁପର ସଦସ୍ୟା ।