ଖାଲି ସମୟର ବିନିଯୋଗ କରିବା ନେଇ ଉପାୟ ଦେଲା ଏସଏଚଜି । ରାଜକନିକାର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କରୁଛନ୍ତି ବ୍ରେଡ, ନିମିକି ଭଳି ଖାଦ୍ୟ ସାମଗ୍ରୀ, ବାର୍ଷିକ ବ୍ୟବସାୟ ୧୦ରୁ ୧୨ଲକ୍ଷ ଟଙ୍କା । 

546

କନକ ବ୍ୟୁରୋ : ଖାଲି ସମୟକୁ ଅପଚୟ ନ କରି ତାକୁ ସଠିକ୍ ଉପାୟରେ ବିନିଯୋଗ କରିଲେ ରୋଜଗାର ସହ ସଫଳତା ପାଇହେବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠିର ୧୧ ଜଣ ମହିଳା । ବ୍ରେଡ୍, କେକ୍ ଆଦି ପ୍ରସ୍ତୁତ କରି ବାର୍ଷିକ ଏମାନେ ରୋଜଗାର କରୁଛନ୍ତି ପାଖାପାଖି ୧୨ଲକ୍ଷ ଟଙ୍କା ।

ଏସଏଚଜି ମହିଳାଙ୍କ ବେକରୀ ବ୍ୟବସାୟ । ଦୀର୍ଘ ବର୍ଷ ଧରି ଏହି ବ୍ୟବସାୟ ମହିଳାଙ୍କୁ ଆଣିଦେଇଛି ସଫଳତା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଂଚାୟତର ଚଢେଇଗଳା ଗାଁର ଜୟ ହନୁମାନ ସ୍ୱୟଂସହାୟକ ଗୋଷ୍ଠି । ଏହି ଗ୍ରୁପର ୧୧ଜଣ ମହିଳା ଦୀର୍ଘ ବର୍ଷ ହେବ ନିଆଁ ଚୁଲାରେ ତିଆରି କରୁଛନ୍ତି କେକ, ବ୍ରେଡ, ନିମିକି ଓ ମଣ୍ଡାଭଳି ଖାଦ୍ୟ ସାମଗ୍ରୀ । ପ୍ରଥମେ କଂଚାମାଲଗୁଡିକୁ ପ୍ରସ୍ତୁତ କରି ଚୁଲା ମଧ୍ୟରେ ସେସବୁକୁ ଭର୍ତି କରାଯାଏ । ତାହା ପ୍ରସ୍ତୁତ ହେଲା ପରେ ପ୍ୟାକିଙ୍ଗ କରି ରାଜକନିକା, ରାଜନଗର ଓ ଆଳି ବ୍ଲକକୁ ଯୋଗାଇଥାନ୍ତି । ଏବଂ ଏହି ବ୍ୟବସାୟରୁ ମହିଳାମାନେ ବାର୍ଷିକ ୧୦ ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ।

ଅଧିକ ତାଲିମ ସହ ସରକାରୀ ସହଯୋଗରେ ମେସିନଟିଏ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଏସଏଚଜିର ସଦସ୍ୟା । ସେପଟେ ଏହି ଗୋଷ୍ଠିର ମହିଳାମାନଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ୫୦ହଜାର ଟଙ୍କା ଦିଆଯାଇଥିବା  ବେଳେ  ଆଗକୁ ଏମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ନେଇ କହିଛନ୍ତି ମିଶନ ଶକ୍ତିର ବ୍ଲକ୍ କୋଡିନେଟର ।