ଖୋଲୁଛି ଗୁଡ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୟାଜ ରେହମାନଙ୍କ ଗୁମର ! ଡୁବନ୍ ଭିଡିଓ ପରେ ସାମ୍ନାକୁ ଆସିଲା ଭାଷଣର କ୍ଲିପ୍ ।

211

କନକ ବ୍ୟୁରୋ : ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଂଟର ସଂସ୍ଥାର ମୁଖ୍ୟ ଫୟାଜ ରେହମାନଙ୍କ ସଂପର୍କରେ ରହସ୍ୟ ଖୋଲିବାରେ ଲାଗିଛି । ଡୁବନ୍ ଭିଡିଓ ପଦାକୁ ଆସିବା ପରେ ଏବେ ରେହମାନଙ୍କ ଭାଷଣର ଏକ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଷଣରେ ଧର୍ମାନ୍ତକରଣ କରାଇଥିବା ନିଜେ କହୁଛନ୍ତି ରେହମାନ । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଏହିସବୁ ଭିଡିଓର ଯାଂଚ କରାଯିବ । ସେପଟେ ପଚରା ଉଚରା ପାଇଁ ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆଜି ପୁରୀ, ରାଉରକେଲା, ବ୍ରହ୍ମପୁର, ଭଦ୍ରକ ଆଦି ସ୍ଥାନରେ ଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲଟର୍ ହୋମ୍ ଉପରେ ଚଢ଼ାଉ କରାଯାଇଛି ।

ଖୋଲୁଛି ଫୟାଜ୍ ରେହମାନଙ୍କ ଗୁମର । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ସେଂଟର ଆଢ଼ୁଆଳରେ ଚାଲିଥିଲା ଧର୍ମାନ୍ତିକରଣ । ବଢିବାରେ ଲାଗିଛି ଏପରି ଅଭିଯୋଗ । ନାବାଳକ ଓ ନାବାଳିକାଙ୍କୁ ନିଜେ ସଂସ୍ଥା ମୁଖ୍ୟ ଫୟାଜ୍ ରହେମାନ୍ ଡୁବନ୍ ଦେଉଥିବା ନେଇ ଭିଡିଓ ସାମନକୁ ଆସିଥିଲା ।  ଅଭିଯୋଗ ହୋଇଥିଲା, ସେଲଟର୍ ହୋମର ଛାତ୍ରଛାତ୍ରୀଙ୍କୁ ପାଣିରେ ଡୁବାଇ ଧର୍ମାନ୍ତକରଣ କରୁଥିଲେ ଫୟାଜ ରହେମାନ୍ । ଏବେ ରେହମାନଙ୍କ ଭାଷଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଜଣାପଡୁଛି ତାଙ୍କର ଭିତିରି ଉଦ୍ଦେଶ୍ୟ । ଏହି ଭିଡିଓରେ ଫୟାଜ୍ ରହେମାନ୍ ନିଜେ କହୁୁଛନ୍ତି ଯେ ଧର୍ମାନ୍ତକରଣ କରିବା ପରେ ସେ ଖୁସିରେ ବିଭୋର ହୋଇପଡୁଛନ୍ତି । ଦେଖନ୍ତୁ କଣ କହିଥିଲେ ରେହମାନ୍ ।

ସେଠାରେ ୨୫ରୁ ୩୦ ଜଣ ପିଲା ଥିଲେ .. ମୁଁ ଧର୍ମ ସଂପର୍କରେ ଜୋରଦାର ଭାଷଣ ଦେଲି .. ୧୨ ମିନିଟ୍ ଧରି ବୁଝାଇଲି .. ମୁଁ ଜାଣିଥିଲି, ସେମାନେ କେବେ ବି ଚର୍ଚ୍ଚକୁ ଯାଇନାହାନ୍ତି .. ଟିକେ ଲମ୍ବା ସମୟ ଲାଗିଲା .. ସେହିଦିନ ୩୦ ଜଣଙ୍କ ମଧ୍ୟରୁ ୧୮ ଜଣ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ .. ମୁଁ ଖୁସିରେ ବିଭୋର ହୋଇଗଲି ..

ଆଜି ମଧ୍ୟ ପୁରୀ, ରାଉରକେଲା, ବ୍ରହ୍ମପୁର, ଭଦ୍ରକ ଆଦି ସ୍ଥାନରେ ଚଢ଼ାଉ କରାଯାଇଛି । କିପରି ଏହି ସବୁ ସେଂଟର ଚାଲିଥିଲା, ପିଲାମାନଙ୍କୁ କିଭଳି ଅବସ୍ଥାରେ ରଖାଯାଇଛି, ଏହାର ଯାଂଚ କରାଯାଉଛି । ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡିମ୍  ସେଂଟରରେ ଥିବା ପିଲାମାନଙ୍କୁ ସ୍ଥାନାନ୍ତର କରାଯାଉଛି । ତେବେ ଏହାରି ଭିତରେ ଏହିସବୁ ସେଂଟରରେ ରହୁଥିବା କିଛି ପିଲା କହିଛନ୍ତି, ସେମାନେ ସକାଳୁ ଉଠି ବାଇବେଲ୍ ପଢନ୍ତି, ଯିଶୁଙ୍କୁ ପ୍ରାର୍ଥନା କରନ୍ତି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି ।

ଧର୍ମାନ୍ତିକରଣ ନେଇ ଅଭିଯୋଗ ବଢୁଥିବା ବେଳେ ସାମନାକୁ ଆସିଥିବା ଭିଡିଓର ଯାଂଚ ହେବା ଆବଶ୍ୟକ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଢେଙ୍କାନାଳ ଗୁଡ ନ୍ୟୁଜ ସେଲଟର ହୋମର ଅନ୍ତେବାସୀଙ୍କୁ  ଅସଦାଚରଣ ମାମଲାରେ  ଅଧ୍ୟକ୍ଷ ଫାୟାଜ ରେହମାନଙ୍କୁ  ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ କାଳରେ ଅସଦାଚରଣ ଘଟଣା ସମ୍ପର୍କରେ ପଚରାଉଚୁରା କରିବ । ଏହାଛଡା ବିଦେଶୀ ଲିଙ୍କ ସମ୍ପର୍କରେ ବି ଖୋଳତାଡ କରିବ । ଆବଶ୍ୟକ ପଡିଲେ ଏହି ଘଟଣାରେ ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଂଚଳ ନାଏକ ଓ ସହକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ରିମାଣ୍ଡରେ ଆଣି ଜେରା କରିପାରେ ପୋଲିସ ।