ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ଥରୁଥିଲା ସହର । ବହୁଚର୍ଚ୍ଚିତ ରଶ୍ମିରଞ୍ଜନ ହତ୍ୟା ଘଟଣାର ଥିଲା ମାଷ୍ଟର ମାଇଣ୍ଡ । ପଢନ୍ତୁ, ହାଇଦରର କ୍ରାଇମ ରେକର୍ଡ…

731

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ନାଁରେ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସମେତ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦାଦାବଟି, ଲୁଟ, ରାହାଜାନି, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଭଳି ଅନେକ ସଙ୍ଗୀନ ମାମଲାରେ ସେ ସାମିଲ ଥିବା ଅଭିଯୋଗ ରହିଛି । ତଥାପି ଅନେକ ମାମଲାରେ ଖସି ଯିବାରେ ସକ୍ଷମ ହୋଇଥିଲା ଏହି ଦୁର୍ଦାନ୍ତ ଅପରାଧୀ । ହେଲେ, ସେକ୍ ଚୁନ୍ନାର ହତ୍ୟାକାଣ୍ଡ ଓ ରଶ୍ମୀ ମହାପାତ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଖସି ପାରିନଥିଲା । କୋର୍ଟ ଏହି ଦୁଇଟି ହତ୍ୟା ମାମଲାର ବିଚାର କରି ତାକୁ ଆଜୀବନ ଜେଲ ଦଣ୍ଡ ଦେବା ପରେ ସଜ୍ଜା କାଟୁଥିଲା ।

ସେକ୍ ହାଇଦରର ଗୋଟିଏ ଇସାରାରେ ହାଇଜାକ କରେ ପୂରା ସହର । ନାଁ ଶୁଣିବା ମାତ୍ରେ ଥରହର ହୋଇ ପଡନ୍ତି ସହରବାସୀ । ଆଉ ହାଇଦର ଡରରେ ପହଞ୍ଚାଇ ଦିଅନ୍ତି ମଗା ଯାଇଥିବା ବଟି ତେବେ ଯିଏ ହାଇଦରର କଥା ନଶୁଣିଲା କି ବାଧା ଦେଲା ତେବେ ତା ଜୀବନରେ କଳାବାଦଲ ଘୋଟି ଆସୁଥିଲା । ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଥିବାବେଳେ ସହଯୋଗୀ ସୁଲେମାନ ଓ ହାଇଦର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବା ପରେ  ହାଇଦରକୁ ସୁଲେମାନର ସହଯୋଗୀମାନେ ଆକ୍ରମଣ କରିଥିଲେ  । ସୁଲେମାନ ସହଯୋଗୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ହାଇଦର । ଏଥିପାଇଁ ପ୍ରଥମେ ସୁଲେମାନର ସବୁ କିଛି ବୁଝୁଥିବା ତାର ଭାଇ ସେକ୍ ଚୁନା ଓରଫ ମାଲିକ ହନନକୁ ପ୍ରଥମେ ଟାର୍ଗେଟ କରିଥିଲା ହାଇଦର ।

୩୧ ମେ ୨୦୦୫ ଦିନ ଷ୍ଟୁଆର୍ଟ ସ୍କୁଲ ଛକର ଏକ ଗ୍ୟାରେଜରେ ମୋଟର ସାଇକେଲ ସଜାଡୁଥିବାବେଳେ ହାଇଦର ଓ ତାର ୭ ସହଯୋଗୀ ସୁଲେମାନର ଭାଇ ସେକ୍ ଚୁନା ଓ ମାଲିକ ହନନକୁ ଗୁଳି କରି ହତ୍ୟା କରିଥିଲେ । ଚୁନା ନାଁ ଶୁଣିଲେ ସେତେବେଳେ କେନ୍ଦ୍ରାପଡା ଥରହର ହେଉଥଲା । ସୁଲେମାନର ଅପରାଧ ସାମ୍ରାଜ୍ୟ ନିୟନ୍ତ୍ରଣ କରିବାରେ ତାହାର ବଡ ଭୂମିକା ଥିଲା । ତାକୁ ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ଏହି ଖବର ସେତେବେଳେ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । କିନ୍ତୁ ହତ୍ୟାକାଣ୍ଡ ଘଟାଇବା ପରେ ହାଇଦର ଓ ତାର ସହଯୋଗୀମାନେ ଏକ ବୋଲେରୋ ଗାଡିରେ ଖସି ପଳାଇବାକୁ ସମର୍ଥ ହୋଇଥିଲେ । ତେବେ ନାଗପୁରରେ ଆତ୍ମଗୋପନ କରିଥିବା ସମୟରେ ଏକ ହୋଟେଲ ରୁମରୁ ପୋଲିସ ହାତରେ ଧରାପଡିଥିଲା । ଏହି ହତ୍ୟା ମାମଲାର ବିଚାର କରି ୨୦୧୧ ମାର୍ଚ୍ଚରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାୟ ଶୁଣାଇଥିଲେ । ଏଥିରେ ହାଇଦର ସମେତ ତାର ୮ଜଣ ସହଯୋଗୀଙ୍କୁ ସାକ୍ଷ୍ୟପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସମସ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ୨୭ ମେ ୨୦୦୭ ଦିନ ସହୀଦନଗର ଅଞ୍ଚଳରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ କରାଯାଇଥିଲା । ସେ ମାର୍ବଲ ସ୍ଲାବ କିଣିବାକୁ ଆସିଥିବାବେଳେ ରଶ୍ମି ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ହାଇଦର ଗ୍ୟାଙ୍ଗ୍ । ଅପହରଣ ପରେ ରଶ୍ମିଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ୨କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ଦାବି ମୁତାବକ ଟଙ୍କା ନମିଳିବାରୁ ରଶ୍ମିଙ୍କୁ ହତ୍ୟା କରିଥିଲେ । ପରେ ଝାଡଖଣ୍ଡରୁ ଗାଡି ସହ ରଶ୍ମିଙ୍କ ଶବ ଉଦ୍ଧାର ହୋଇଥିଲା । ତେବେ ରଶ୍ମିଙ୍କୁ ହତ୍ୟା କରିବା ପରେ ବି ହାଇଦର ଟଙ୍କା ନେଇଥିଲା ବୋଲି କୁହାଯାଏ । ରଶ୍ମିଙ୍କୁ ଅପହରଣ କରାଯିବା ସମୟରେ ହାଇଦର ଝାରପଡା ଜେଲରେ ବିଚାରଧୀନ କଏଦୀ ଭାବେ ରହି ତାର କ୍ରାଇମ ସିଣ୍ଡିକେଟ ନିୟନ୍ତ୍ରଣ କରୁଥିଲା । କୁହାଯାଏ ସେହି ଜେଲରୁ ରଶ୍ମିଙ୍କ ଅପହରଣ ଓ ହତ୍ୟା କାଣ୍ଡର ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ମାଷ୍ଟରମାଇଣ୍ଡ ହାଇଦର ।

ତେବେ ୮ବର୍ଷ ପରେ ଅର୍ଥାତ ୧୭ ଅକ୍ଟୋବର ୨୦୧୫ରେ ଏହି ମାମଲାର ବିଚାର କରି ରାୟ ଶୁଣାଇଥିଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ । ସାକ୍ଷୀ ଓ ପ୍ରମାଣକୁ ଆଧାର କରି ହାଇଦର ଓ ତାର ଦୁଇ ସହଯୋଗୀ ଶରତ ସାହୁ , ଭବାନୀ ଶଙ୍କର ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।