କନକ ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି । ହସିନା ଅଭିଯୋଗ କରିଛନ୍ତି କି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି । ଏହି ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତାର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ନିଜ ନକଟତମ ବନ୍ଧୁଙ୍କ ସହ ପଠାଇଥିବା ଏକ ଚିଠିରେ ହସିନା କହିଛନ୍ତି କି, ମୁଁ ଏହି କାରଣରୁ ଇସ୍ତଫା ଦେଲି କି ମୁଁ ଦେଶରେ ଶବ ଶୋଭାଯାତ୍ରା ଦେଖିବାକୁ ଚାହୁଁନଥିଲି ।
ସୂଚନା ଥାଉକି ବାଂଲାଦେଶରେ ସଂରକ୍ଷଣକୁ ବିରୋଧ କରି କିଛିବର୍ଷ ହେବ ହସିନା ସରକାରଙ୍କ ବିରୋଧରେ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଥିଲେ । ହେଲେ ହସିନା ସରକାର ଛାତ୍ରମାନଙ୍କର ଦାବିକୁ ଅଣଦେଖା କରିଚାଲିଥିଲେ । ବାଶ୍ ଧିରେ ଧିରେ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଲା । ଏହାସହ ହସିନା ସରକାର ପତନ ପାଇଁ ଦେଶରେ ଥିବା କଠୋରପନ୍ଥୀମାନେ ମଧ୍ୟ ଛାତ୍ରମାନଙ୍କୁ ହିଂସାତ୍ମକ ଆନ୍ଦୋଳନ ପାଇଁ ଉସକାଇଥିଲେ । ଏସବୁ ଭିତରେ ଛାତ୍ରମାନେ ହସିନାଙ୍କ ବାସଭବନ ଦଖଲ କରିବା ସହ ତାଙ୍କୁ ଦେଶାନ୍ତର ହେବାକୁ ବାଧ୍ୟ କରିଥିଲେ ।