ସିଦ୍ଧାର୍ଥଙ୍କୁ ଝୁରୁଛନ୍ତି ଶେହନାଜ । ପୂରା ଚୁପ ରହୁଛନ୍ତି, କାହା ସହ କଥା ହେଉନାହାନ୍ତି । 

867

କନକ ବ୍ୟୁରୋ :  ବିଗବସ୍ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ କେବଳ ପରିବାରକୁ ମର୍ମାହତ କରିନାହିଁ ବରଂ ପ୍ରଂଶସକଙ୍କୁ ମଧ୍ୟ ଶୋକରେ ବୁଡାଇ ଦେଇଛି । ସୋସିଆଲ ମିଡ଼ିଆରେ ବିଭିନ୍ନ ପୁରୁଣା ପୋଷ୍ଟ ସେୟାର କରି ସିଦ୍ଧାର୍ଥଙ୍କୁ ମନେପକାଉଛନ୍ତି ପ୍ରଂଶସକ । ଖାସକରି ପ୍ରଂଶସକ ମାନେ ସେୟାର କରୁଥିବା ପୁରୁଣା ପୋଷ୍ଟରେ ସିଦ୍ଧାର୍ଥ-ଶେହନାଜଙ୍କ ଭିଡ଼ିଓ ଦେଖିବାକୁ ମିଳୁଛି । ସିଦ୍ଧାର୍ଥଙ୍କ ସବୁଠୁ ଭଲ ବାନ୍ଧବୀ ଭାବେ ଜଣାଶୁଣା ଶେହନାଜ ମଧ୍ୟ ଏଭଳି ଆକ୍ମସିକ ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯେଉଁଥିପାଇଁ ଶେହନାଜ ନାଁ ଠିକରେ ଖାଉଛନ୍ତି ନା ଠିକରେ ଶୋଇ ପାରୁଛନ୍ତି । ସିଦ୍ଧାର୍ଥଙ୍କ ଦେହାନ୍ତ ଶେହନଜାଙ୍କୁ ସବୁଠୁ ବଡ ଧକ୍କା ଦେଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏକଦମ ଚୁପ୍ ହୋଇଯାଇଛନ୍ତି ଶେହନାଜ । ନା କାହା ସହ ଭଲରେ କଥା ହେଉଛନ୍ତି, ନା ଭଲରେ ଖିଆପିଆ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଶେହନାଜଙ୍କ ସହ ପୂରା ପରିବାର ଛିଡା ହୋଇଛି । ଏପରିକି ସିଦ୍ଧାର୍ଥଙ୍କ ମା’ ମଧ୍ୟ ଶେହନାଜଙ୍କୁ ସାହସ ଦେଉଛନ୍ତି ଓ ବୁଝାଉଛନ୍ତି । ଶେହନାଜ ଯେପରି ଏକା ଅନୁଭବ ନ କରନ୍ତି ସେଥିପାଇଁ ତାଙ୍କ ଭାଇ ସବୁବେଳେ ସାଥୀରେ ରହୁଛନ୍ତି । ଏପରିକି ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଶେହନାଜଙ୍କ ପାଖକୁ ତାଙ୍କ ଭାଇ ତୁରନ୍ତ ଚାଲି ଆସିଥିଲେ । ଆଉ ସେବେଠାରୁ ଶେହନାଜଙ୍କ ସାଥୀରେ ତାଙ୍କ ଭାଇ ରହୁଛନ୍ତି ।

ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶେହନାଜଙ୍କୁ ଶକ୍ତ ଆଘାତ ଦେଇଥିଲା । ଏପରିକି ଏହି ଖବର ଶୁଣି ପୂରା ଭାଙ୍ଗି ପଡିଥିଲେ ଶେହନାଜ । ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ପାଇଁ ଶେହନାଜ ଯେତେବେଳେ ଶ୍ମଶାନରେ ପହଞ୍ଚିଥିଲେ ସେତେବେଳେ ନିଜ କାନ୍ଦ ସମ୍ଭାଳିପାରିନଥିଲେ । ସିଦ୍ଧାର୍ଥଙ୍କୁ ଶେଷ ବିଦାୟ ଦେବା ବେଳେ ସମସ୍ତଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଥିଲେ ଶେହନାଜ । କାରଣ ଶେହନାଜ ଏମିତି ଜଣକୁ ହରାଇଥିଲେ, ଯିଏ ତାଙ୍କର ଖୁବ ନିକଟତର ଥିଲେ । ଏପରିକି ଉଭୟ ସିଦ୍ଧାର୍ଥ-ଶେହନାଜଙ୍କ ଭିତରେ ବଣ୍ଡିଂ ମଧ୍ୟ ବେଶ ଭଲ ଥିଲା । କହିବାକୁ ଗଲେ ମୁମ୍ବାଇରେ ଶେହନାଜଙ୍କ ପାଇଁ ସବୁଠୁ ବଡ ସାହାରା ଥିଲେ ସିଦ୍ଧାର୍ଥ ।

ଶେହନାଜ-ସିଦ୍ଧାର୍ଥ ପରସ୍ପରକୁ ବିଗବସ୍-୧୩ରେ ଭେଟିଥିଲେ । ଏହି ସୋ’ରେ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଆଉ ପରସ୍ପରକୁ ବେଶ ଭଲପାଇ ବସିଥିଲେ । ସୋ’ରେ ସିଦ୍ଧାର୍ଥ-ଶେହନାଜଙ୍କ କେମେଷ୍ଟ୍ରିକୁ ମଧ୍ୟ ଦଶର୍କ ବେଶ ପସନ୍ଦ କରିଥିଲେ । କାରଣ ଉଭୟ ଲଢେଇ କରୁଥିଲେ ଏବଂ ଆବଶ୍ୟକ ପଡିଲେ ପରସ୍ପରର ସୁରକ୍ଷାକବଚ ସାଜୁଥିଲେ । ଏପରିକି ଚଳିତ ଡିସେମ୍ବରରେ ଉଭୟ ବିବାହ କରିଥାନ୍ତେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏଭଳି ହେବା ପୂର୍ବରୁ ଚିରନିଦ୍ରାରେ ଶୋଇପଡିଛନ୍ତି ସିଦ୍ଧାର୍ଥ ।