ଦୈନିକ ୧୮ କିଲୋମିଟର ଡଙ୍ଗା ଚଳାଉଛନ୍ତି ଏହି ମହିଳା । ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ କରୁଛନ୍ତି ସାହାଯ୍ୟ

151

କନକ ବ୍ୟୁରୋ : ଯଦି କିଛି ମହତ୍ତ୍ୱ କାର୍ଯ୍ୟ କରିବାର ଇଚ୍ଛା ଆପଣଙ୍କ ମନରେ ଥରେ ଜାଗ୍ରତ ହୋଇଗଲା ତେବେ କଥା ସରିଲା । ଆପଣଙ୍କ ପାଇଁ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ହେବ ନାହିଁ । ଏହା ସହ କୌଣସି ବି ବାଧା ବିଘ୍ନ ଆପଣଙ୍କୁ ସେହି ମହତ୍ତ୍ୱ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜିବ ନାହିଁ । ଆମେ କହୁଛୁ ୨୭ ବର୍ଷିୟ ଅଙ୍ଗନୱାଡି ଦିଦି ରେଲୁ ବାସୱାଙ୍କ କଥା । ଯେ କି ନଦୀରେ ଦୈନିକ ୧୮ କିଲୋମିଟର ଯାତ୍ରା କରୁଛନ୍ତି । ମହାରାଷ୍ଟ୍ରର ନାସିକ୍ ରେ ନନ୍ଦୁରବାର ଜିଲ୍ଲାର ବାସିନ୍ଦା । ସେ ନିକଟସ୍ଥ ଏକ ଅଙ୍ଗନୱାଡୀରେ ଶିକ୍ଷୟତ୍ରୀ ଭାବେ କାମ କରନ୍ତି । ହେଲେ ସେଠାରେ ରହୁଥିବା ଆଦିବାସୀ ମାନେ ସେମାନଙ୍କର ପିଲାଙ୍କୁ ଅଙ୍ଗନୱାଡି ଆସିବା ବନ୍ଦ କରିଦେଲେ । କାରଣ ଥିଲା ଅଙ୍ଗନୱାଡି କେନ୍ଦ୍ର ଓ ଆଦିବାସୀ ବସ୍ତି ମଝିରେ ଥିବା ନଦୀ । ନଦୀରୁ ଆଦିବାସୀ ବସ୍ତିର ଦୂରତା ଥିଲା ୧୮ କିଲୋମିଟର । ହେଲେ ଯାତାୟତ ପାଇଁ ନଥିଲା ସଡକ ପଥ । କେବଳ ନଦୀରେ ଡଙ୍ଗା ପକାଇ ଯିବା ହିଁ ଥିଲା ଏକମାତ୍ର ସାହାରା । ଏହା ଜାଣିବା ପରେ ସ୍ଥିର ହୋଇପାରିଲେ ନାହିଁ ରେଲୁ ବାସୱା । ପିଲାମାନେ ସିନା ଅଙ୍ଗନୱାଡି କେନ୍ଦ୍ରକୁ ଆସିପାରିବେ ନାହିଁ କିନ୍ତୁ ଶିକ୍ଷୟତ୍ରୀ ରେଲୁ ତାଙ୍କ ପାଖକୁ ଯିବା ପାଇଁ ମନସ୍ଥ କରିଦେଲେ । ଏହାପରେ ସେ ଏକ ମାଛଧରାଳୀଙ୍କ ଠାରୁ ଏକ ଡଙ୍ଗା ଲିଜ୍ ସୂତ୍ରରେ ଆଣିଲେ । ନିଜେ ଡଙ୍ଗା ଚଳାଇବା ବି ଶିଖିଲେ । ଏହା ପରେ ଦୈନିକ ନଦୀ ଭିତରେ ୧୮ କିଲୋମିଟର ଡଙ୍ଗା ଚଳାଇ ପହଂଚିଯାଆନ୍ତି ଅଙ୍ଗନୱାଡି କେନ୍ଦ୍ରରେ ।

ସେଠାରେ ତାଙ୍କର କାମ ହେଲା ୬ ବର୍ଷରୁ କମ୍ ପିଲାଙ୍କୁ ପାଠ ପଢାଇବା । ହେଲେ ରେଲୁଙ୍କୁ ସରକାର ଦେଇଥିବା କାମ ବ୍ୟତିତ ଅନେକ ଅଧିକ କାମ କରନ୍ତୁ ରେଲୁ । ଯେମିତି କି ଗର୍ଭବତୀ ଆଦିବାସୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା । ସେମାନଙ୍କର ଆର୍ଥିକ ବିକାଶ ଦିଗରେ କାମ କରିବା । ଅନ୍ୟପଟେ ଆଦିବାସୀ ପିଲାଙ୍କର ପୋଷଣ ଉପରେ ବି ରେଲୁ ଏକ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ରେଲୁ କହିଛନ୍ତି କି ୧୮ କିଲୋମିଟର ଡଙ୍ଗା ଚଳାଇବା ଫଳରେ ତାଙ୍କ ହାତରେ ପ୍ରବଳ ଯନ୍ତ୍ରଣା ହେଉଛି । ହେଲେ ନିଜର ଶାରିରୀକ କଷ୍ଟ ଠାରୁ ଆଦିବାସୀ ପିଲାମାନଙ୍କର ଶିକ୍ଷା ଓ ଗର୍ଭବତୀ ମହିଳା ମାନଙ୍କର ସ୍ୱାସ୍ଥ୍ୟସେବା ତା ଆଗରେ କିଛି ନୁହେଁ।