କନକ ବ୍ୟୁରୋ: ଘାଟି ଉପରେ ପ୍ରସବ । ମାଲକାନଗିରି ଜିଲ୍ଲାର ବାୟାପଡା ଘାଟି ମଣିଷଙ୍କ ଦୁର୍ଦଶା ଥମିବାର ନାଁ ଧରୁ ନାହିଁ । ବର୍ଷ ବର୍ଷ ଧରି ବାୟାପଡା ଘାଟି ରାସ୍ତା ନିର୍ମାଣ ହୋଇ ପାରୁ ନଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ବିଶେଷ କରି ରୋଗୀ ସେବା ଏକ ପ୍ରକାର ଠପ ହୋଇ ଯାଇଛି । ବାୟପଡା ଘାଟି ଉପରେ ଥିବା ଗଙ୍ଗାପଡା ଗାଁର ସାନ୍ତା ବିଷୋଇଙ୍କ ପ୍ରସବ ବେଦନା ହେବାରୁ ଆଶା ଦିଦି ଓ ଗାଁ ଲୋକେ ଏକ ଭାରରେ ବୋହି କୁଡୁମୁଲୁଗୁମା ଡାକ୍ତରଖାନାକୁ ବାହାରି ଥିଲେ । ବାୟାପଡା ଠାରୁ କୁଡୁମୁଲୁଗୁମାର ଦୁରତା ପ୍ରାୟ ୧୫କିଲୋମିଟର ହୋଇଥିବା ବେଳେ ବାୟାପଡା ଘାଟି ମଝିରେ ସାନ୍ତା ଏକ ସନ୍ତାନ ଜନ୍ମ କରି ଥିବା ଜଣା ପଡିଛି । ଆଉ ବହୁ କଷ୍ଟରେ ତାଙ୍କୁ କୁଡୁମୁଲୁଗୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ମା ଓ ଶିଶୁ ସୁସ୍ଥ ଅଛନ୍ତି । ବାୟାପଡା ଘାଟି ଉପରେ ପ୍ରାୟ ୨୦ ଟି ଗାଁ ରହି ଥିବା ବେଳେ ବାୟାପଡା ଘାଟି ରାସ୍ତା ନିର୍ମାଣ ହୋଇ ପାରୁ ନଥିବାରୁ ମୌଳିକ ସୁବିଧାରୁ ବଂଚିତ ବାୟାପଡା ବାସିନ୍ଦା ।