ଆଜି କଂଗ୍ରେସରେ ଯୋଗ ଦେବେ ବିଜେପିର ‘ଶତ୍ରୁ’ : ପାଟନା ସାହିବରୁ ଲଢ଼ି ପାରନ୍ତି ନିର୍ବାଚନ

131

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଆଜି ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେଉଥିବାର ସୂଚନା ମିଳିଛି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବେ । ଏଠାରେ ସୂଚନାଯୋଗ୍ୟ, ଯେ ଭାଜପା ଟିକେଟ ନଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ତାହା ସ୍ପଷ୍ଟ ହୋଇଛି। ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ପଦ୍ମ ଛାଡ଼ି କଂଗ୍ରେସ ଦଳରେ ଯୋଗଦେବେ । କଂଗ୍ରେସ ପକ୍ଷରୁ ସିହ୍ନା ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ । ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ପାଟନା ସାହିବରେ ଦେଖିବାକୁ ମିଳିବ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନଙ୍କ ମଧ୍ୟରେ କଡ଼ା ଟକ୍କର ।

ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ। ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିଲେ ସିହ୍ନା । ସୋସିଆଲ ମିଡ଼ିଆରେ ମୋଦି ବିରୋଧୀ ମନ୍ତବ୍ୟ ଦେବା ସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ ବୋଲି କହିଥିଲେ ଶତ୍ରୁଘ୍ନ । ଏବେ ସେ ଟ୍ୱଟି କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଛନ୍ତି । ଏହା ସହ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏହି ଯୋଜନା କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ।