କନକ ବ୍ୟୁରୋ : ଆଇପିଏଲ ମ୍ୟାଚ୍ ଭିତରେ ରାଜସ୍ଥାନ ରୟାଲ୍ସର ଖେଳାଳୀ ୟୁଜବେନ୍ଦ୍ର ଚହଲ ଏକ ବଡ ଖୁଲାସା କରିଥିଲେ । ଚହଲ କହିଥିଲେ, ୨୦୧୩ରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ବେଳେ ଜଣେ ନିଶାଗ୍ରସ୍ତ ଖେଳାଳୀ ୧୫ ତାଲା ବିଲ୍ଡିଂର ବାଲକୋନି ଉପରୁ ଝୁଲାଇ ରଖିଥିଲେ । ସେତେବେଳେ ଅଳ୍ପକେ ବର୍ତ୍ତିଯାଇଥିଲା ଜୀବନ । ଆଉ ଏହି ଘଟଣାକୁ ନେଇ ଉକ୍ତ ଖେଳାଳୀଙ୍କ ଉପରେ ବର୍ଷିବା ସହ ଚହଲଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର ବୀରେନ୍ଦ୍ର ସେହୱାଗ ଓ ପୂର୍ବତନ ଭାରତୀୟ କୋଚ୍ ରବି ଶାସ୍ତ୍ରୀ ।

Advertisment

ଚହଲ ଉକ୍ତ ଖେଳାଳୀଙ୍କ ନାଁ ଖୁଲାସା କରିନାହାନ୍ତି । କିନ୍ତୁ ସେହୱାଗ କହିଛନ୍ତି, ଚହଲ ତାଙ୍କ ନାଁ ଖୁଲାସା କରନ୍ତୁ । ସେହିଭଳି ରବି ଶାସ୍ତ୍ରୀ କହିଛନ୍ତି, ଏହା ବହୁତ ଗମ୍ଭୀର ମାମଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ସହ ଖେଳ ହୋଇଛି । ଯିଏ ବି ଏମିତି କରିଛନ୍ତି, ତାଙ୍କର ମାନସିକ ସ୍ଥିତି ବୋଧେ ଠିକ୍ ନଥିଲା । କିଛି ଲୋକଙ୍କ ପାଇଁ ଏହା ମଜା ହୋଇପାରେ କିନ୍ତୁ ମୋ ପାଇଁ ଏହା ମଜା ଘଟଣା ନୁହେଁ ।

ଶାସ୍ତ୍ରୀ କହିଛନ୍ତି, ଏଭଳି ଘଟଣା ମୁଁ ପ୍ରଥମଥର ପାଇଁ ଶୁଣୁଛି । କିନ୍ତୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଜୀବନ ବାସନ୍ଦ ଲଗାଇବା କଥା । ଏହାସହ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିଶା ନିବାରଣ କେନ୍ଦ୍ରକୁ ପଠାଯିବା କଥା । କେବଳ ଆଜୀବନ ପ୍ରତିବନ୍ଧକ ନୁହେଁ ବରଂ ତାଙ୍କୁ ପଡିଆର ଆଖପାଖରେ ଆସିବାକୁ ଦିଆଯିବା କଥା ନୁହେଁ । ସେତେବେଳେ ଉକ୍ତ ଖେଳାଳୀ ଜାଣିବେ ଏହା ମଜାଦାର ଘଟଣା କି ନୁହେଁ । ଚଳିତ ଆଇପିଏଲରେ ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ୬.୫ କୋଟି ଟଙ୍କାରେ କିଣିଛି । ଦୀର୍ଘ ବର୍ଷ ବାଙ୍ଗାଲୋର ପାଇଁ ଖେଳୁଥିଲେ ମଧ୍ୟ ଚହଲଙ୍କୁ ରିଟେନ କରିନଥିଲା ଦଳ । ଏପରିକି ମହାନିଲାମୀରେ ତାଙ୍କ କିଣିବାକୁ ପ୍ରୟାସ କରିନଥିଲା ଦଳ ।