ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳନ୍ତୁ ନାହିଁ କୋହଲି, ସଚିନଙ୍କ ଉଦାହରଣ ଦେଇ ରବି ଶାସ୍ତ୍ରୀ କହିଲେ ଏମିତି କଥା ।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳନ୍ତୁ ନାହିଁ କୋହଲି, ସଚିନଙ୍କ ଉଦାହରଣ ଦେଇ ରବି ଶାସ୍ତ୍ରୀ କହିଲେ ଏମିତି କଥା ।

କନକ ବ୍ୟୁରୋ ; ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବା ବେଳେ ଶନିବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳିବ । ତେବେ ଦ୍ୱିତୀୟ ଦିନିକିଆ ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ବଡ ବୟାନ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି, ବିରାଟ ଶେଷ ଦିନିକିଆ ମ୍ୟାଚ୍ ଖେଳିବା ବଦଳରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ଉଚିତ୍ । ଯାହାଦ୍ୱାରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିରାଟଙ୍କ ଆତ୍ମବିଶ୍ୱାସ ବଢିବ । ଦିନିକିଆରେ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । କିନ୍ତୁ ଟେଷ୍ଟ ମ୍ୟାଚରେ ଦୀର୍ଘ ଦିନ ହେବ ବଡ ଇନିଂସ ଖେଳିନାହାନ୍ତି କୋହଲି । ଶେଷ ଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ କୋହଲି । ଏପରିକି କିଛି ଦିନ ପୂର୍ବେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ କୋହଲି ।

ରବି ଶାସ୍ତ୍ରୀ କହିଛନ୍ତି, ମୋ ଅନୁଯାୟୀ ପ୍ରତ୍ୟେକ ଖେଳାଳି ଅଧିକରୁ ଅଧିକ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଉଚିତ୍ । ଖାସକରି ଯେତେବେଳେ ଭାରତରେ ଆପଣ ଅଧିକ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ମୁଁ ଭାବୁଛି ଭାରତର ଅନେକ ଅଭିଜ୍ଞ ଖେଳାଳି ଅଧିକ ସଂଖ୍ୟାରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁନାହାନ୍ତି । ଯେହେତୁ ଅଧିକ କ୍ରିକେଟ ଖେଳାଯାଉଛି ତେଣୁ ଖେଳାଳି ରିସ୍କ ନେବା କଥା ନୁହେଁ । କିନ୍ତୁ ବେଳେ ବେଳେ ଖେଳାଳିଙ୍କୁ ଚାଲାକ୍ ହେବାକୁ ପଡିବ ଏବଂ ବଡ ମ୍ୟାଚକୁ ଦୃଷ୍ଟିରେ ରଖି କିଛି ମ୍ୟାଚ ତ୍ୟାଗ କରିବାକୁ ପଡିବ ।

ରବି ଶାସ୍ତ୍ରୀ କହିଛନ୍ତି, ଏବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ନ ଖେଳି ବର୍ଡର ଗାଭାସ୍କର ସିରିଜର ପ୍ରସ୍ତୁତି ପାଇଁ ରଣଜୀ ମ୍ୟାଚ୍ ଖେଳିବା ଉଚିତ୍ । ଆସନ୍ତା ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ । ସଚିନଙ୍କ ଉଦାହରଣ ଦେଇ ଶାସ୍ତ୍ରୀ କହିଛନ୍ତି, ୨୫ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବା ପୂର୍ବରୁ ସଚିନ ଏକ ଘରୋଇ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । କାରଣ ଏହି ଘରୋଇ ମ୍ୟାଚ୍ ଖେଳି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଶତକ ହାସଲ କରିଥିଲେ ସଚିନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe