କନକ ବ୍ୟୁରୋ : ଅକ୍ଟୋବର ମାସରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରୁଛନ୍ତି, ଅନ୍ୟପଟେ ଗାନ୍ଧୀ ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦୁଇ ନେତାଙ୍କ ନାଁ ନେଇ ଅଧିକ ଚର୍ଚ୍ଚା ହେଉଛି । ଜି-୨୩ ନେତା ଭାବେ ଜଣାଶୁଣା ଶଶି ଥରୁର ସଭାପତି ଦୌଡ଼ରେ ରହିଛନ୍ତି ।

Advertisment

ଏପଟେ ଗାନ୍ଧୀ ପରିବାରର ଅନୁଗତ ଭାବେ ଜଣାଶୁଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି । କୁହାଯାଉଛି, ଅଶୋକ ଗେହଲଟ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀ ଯିବେ । ଏହାପର ଦିନ ସେ କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିବେ । ଏପଟେ ବିଦେଶରୁ ଫେରିବା ପରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଶଶି ଥରୁର । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଗତ ସପ୍ତାହରେ ସେ ଦାବି କରିଥିଲେ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସୋନିଆ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ତେଣୁ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଚର୍ଚ୍ଚା ହେଉଛି ।

ସଭାପତି ପଦକୁ ନେଇ ଦଳରେ ଅସନ୍ତୋଷ ବଢ଼ିଥିଲା । କପିଲ ଶିବଲ, ସୁନୀଲ ଝାଖଡ଼, ଅମରିନ୍ଦର ସିଂ, ଅଶ୍ୱିନୀ କୁମାର, ହାର୍ଦ୍ଦିକ ପଟେଲ ଭଳି ବରିଷ୍ଠ ନେତା ଦଳ ଛାଡିଛନ୍ତି । ରାହୁଲଙ୍କୁ ଦୋଷ ଦେଇ ଗୁଲାମ ନବୀ ଆଜାଦ ମଧ୍ୟ ଦଳ ଛାଡିଛନ୍ତି । ଏଭଳି ଏକ ଦୃଷ୍ଟିପଟରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଛି । ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ଅକ୍ଟୋବର ୧୭ ତାରିଖରେ ହେବ ନିର୍ବାଚନ । ୨୦୧୯ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସଭାପତି ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ ।

ଏହା ପରେ ଅନ୍ତରୀଣ ଅଧ୍ୟକ୍ଷା ଭାବେ ପଦ ସମ୍ଭାଳିଛନ୍ତି ସୋନିଆ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଅନୁରୋଧ କରା ଯାଇଥିଲେ ବି ସେ ପୁଣିଥରେ ସଭାପତି ହେବାକୁ ମନା କରି ଦେଇଛନ୍ତି । ଏବେ ଭାରତ ଯୋଡ ଯାତ୍ରା ଆରମ୍ଭ କରି ରାହୁଲ ଚର୍ଚ୍ଚାରେ ରହିଛନ୍ତି । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ହେବ । ସେପଟେ ରାହୁଲଙ୍କୁ ପୁଣିଥରେ ସଭାପତି କରିବା ପାଇଁ ଦାବି ଜୋର ଧରିଛି । ୭ଟି ପ୍ରଦେଶ କଂଗ୍ରେସ କମିଟି ରାହୁଲଙ୍କ ସପକ୍ଷରେ ସଂକଳ୍ପ ପାରିତ କରିଛନ୍ତି ।