କନକ ବ୍ୟୁରୋ: ରାଜ୍ୟ ସଭାରୁ ନିଲମ୍ବିତ ହୋଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ‘ସଂସଦ ଟିଭି’ର ‘ମେରି କହାନୀ’ର ଉପସ୍ଥାପିକା ପଦରୁ ଇସ୍ତଫା ଦେବା ପରେ ଏବେ ଏହି ବାଟରେ କଂଗ୍ରେସ ସାଂସଦ ଶଶୀ ଥରୁର । ରାଜ୍ୟସଭାରୁ ନିଲମ୍ବିିତ ହୋଇଥିବା ୧୨ଜଣ ସାଂସଦଙ୍କୁ ସମର୍ଥନ ଜଣାଇବା କ୍ରମରେ ଆଜି ଶଶୀ ଥରୁର ମଧ୍ୟ ‘ସଂସଦ ଟିଭି ଟକ୍ ସୋ’’ର ଉପସ୍ଥାପକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଟ୍ୱିଟ ମଧ୍ୟ କରିଛନ୍ତି ।

Advertisment

ଶଶୀ ଥରୁର ଟ୍ୱିଟ କରି ଲେଖିଛନ୍ତି ଯେ ‘ଭାରତୀୟ ସଂସଦୀୟ ଗଣତନ୍ତ୍ରର ସର୍ବୋତ୍ତମ ପରମ୍ପରା ଧାରାରେ ଉକ୍ତ ‘ସୋ’ର ଉପସ୍ଥାପକ ହେବା ପାଇଁ ‘ସଂସଦ ଟିଭି’ର ଆମନ୍ତ୍ରଣ ରକ୍ଷା କରିଥିଲି ବୋଲି ମୋର ମନେହୋଇଥିଲା। ଏହାଦ୍ବାରା, ଜଣେ ସାଂସଦ ଭାବେ ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟି ସଂସଦୀୟ ପ୍ରତିଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ଅଂଶ ଗ୍ରହଣ କରିବାରେ ଆମ ରାଜନୈତିକ ମତପାର୍ଥକ୍ୟ ଅନ୍ତରାୟ ସୃଷ୍ଟି କରେନାହିଁ ବୋଲି ଥିବା ନୀତି ସୁନିଶ୍ଚିତ ‌ହୋଇଥିଲା। କିନ୍ତୁ, ରାଜ୍ୟସଭାର ୧୨ଜଣ ସାଂସଦଙ୍କ ଦୀର୍ଘ ନିଲମ୍ବନ ଯୋଗୁଁ ସେଥି ପ୍ରତି ମୋର ସନ୍ଦେହ ଜାତ ହୋଇଛି। ଏଭଳି ପରିସ୍ଥିତିରେ ‘ସଂସଦ ଟିଭି’ କାର୍ୟ୍ୟକ୍ରମ ଉପସ୍ଥାପନ କରିବା ଅର୍ଥ ଅଗଣତାନ୍ତ୍ରିକ କାର୍ୟ୍ୟକଳାପକୁ ସମର୍ଥନ କରିବା ପରି ମନେହେଲା । ତେଣୁ ମୁଁ ଏଥିରୁ ଇସ୍ତଫା ଦେଉଛି’ । ବୋଲି ଉଲ୍ଲେଖ କରିଛନ୍ତି ।

ମୌସୁମୀ ଅଧିବେଶନରେ ପ୍ରଦର୍ଶନ କରିଥିବା ଆଚରଣ ଯୋଗୁଁ ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ରାଜ୍ୟସଭାର ୧୨ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଏହି ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲେ ବି ନିଲମ୍ବିତ ସାଂସଦ ମାନେ ନିଜ ଭୁଲ ସ୍ୱୀକାର କରି କ୍ଷମାନମାଗିବାରୁ ଏହାକୁ ବଜାୟ ରଖିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।