କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଏବେ ସମସ୍ତଙ୍କ ନଜର ଅଟକିଛି ଶର୍ମିଷ୍ଠାଙ୍କ ଉପରେ । ଇତି ମଧ୍ୟରେ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂତ୍ରରୁ ଏକ ଗୁୁରୁତ୍ୱପୂର୍ଣ୍ଣ ସୂଚନା ଆସୁଛି ।
ଶର୍ମିଷ୍ଠା ଆନ୍ଧ୍ରପ୍ରଦେଶ ଖସି ଯାଇଥିବା ପୋଲିସ ସନ୍ଦେହ କରୁଛି । ବିଶେଷ କରି ବିଜୟୱାଡାରେ ଶର୍ମିଷ୍ଠା ଥିବା ନେଇ ସୂଚନା ଆସୁଛି । ତାଙ୍କ ସହ ତାଙ୍କର କିଛି ସହଯୋଗୀ ମଧ୍ୟ ଅଛନ୍ତି । ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇଛି । ଏଥିପାଇଁ ବିଜୟୱାଡାରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି । ଆନ୍ଧ୍ର ପୋଲିସର ମଧ୍ୟ ସହାୟତା ନିଆଯାଉଛି ।
ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅତି ସର୍ନ୍ତପଣରେ ମୋବାଇଲ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି । ବିଜୟୱାଡାରେ ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ଜଣାଶୁଣା ଲୋକଙ୍କ ଘରେ ସେମାନେ ଆଶ୍ରୟ ନେଇଥିବା କୁହାଯାଉଛି । ତେବେ ପୋଲିସ ଆଶା ରଖିଛି ଯେ ଖୁବ୍ ଶୀଘ୍ର ସେମାନେ ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିଯିବେ । ଏହାଛଡା ଦୁଇଟି ପଡୋଶୀ ରାଜ୍ୟରେ ମଧ୍ୟ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମ ପହଞ୍ଚିଛନ୍ତି ।