କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ରିଶି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନର’ ର ଟ୍ରେଲର ରିଲିଜ ହୋଇଛି । ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଏହି ଟ୍ରେଲରଟିକୁ ଦର୍ଶକ ଅନେକ ଭଲପାଇବା ଦେଇଛନ୍ତି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଜୀବନକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏହି ଫିଲ୍ମରେ ଶର୍ମାଜୀ ଭୂମିକାରେ ଉଭୟ ରିଶି କପୁର ଓ ପରେଶ ରାୱଳଙ୍କ ଅଭିନୟ ଯାଦୁଗରୀ ଦେଖିବାକୁ ମିଳିଛି ।
ବଡ କଥା ହେଉଛି ଫିଲ୍ମର ସୁଟିଂ ଅଧା ବାକି ଥିବା ସମୟରେ ରିଶି କପୁରଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ଏହି ଭୂମିକାରେ ପରେଶ ରାୱଳ ଅଭିନୟ କରିଛନ୍ତି । ରିଲିଜ୍ ହୋଇଥିବା ଟ୍ରେଲରରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଛି । ରୋଷେଇ କରିବାକୁ ଖୁବ୍ ଭଲ ପାଉଥିବା ଶର୍ମାଜୀ କିପରି ଚାକିରୀରୁ ଅବସର ନେବା ପରେ ରାସ୍ତା କଡରେ ଏକ ଦୋକାନ କରିବାକୁ ବିଚାର କରନ୍ତି । ଯାହାକୁ ତାଙ୍କୁ ପୁଅ ବିରୋଧ କରିଛନ୍ତି । ଘରୋଇ ଜୀବନରେ ଘଟୁଥିବା ଏମିତି ଛୋଟ ବଡ ପ୍ରସଙ୍ଗ କାହାଣୀରେ ସ୍ଥାନ ପାଇଛି ।
ଅଭିନେତା ରିଶି କପୁରଙ୍କୁ ଶର୍ମାଜୀଙ୍କ ଚରିତ୍ରରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମରେ ରିଶି କପୁର ଓ ପରେଶ ରାୱଲଙ୍କ ସହ ଜୁହି ଚାୱଲା ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି । ଏକାଧୀକ ସୁପରଷ୍ଟାରଙ୍କ ଅଭିନୀତ ଫିଲ୍ମ ଶର୍ମାଜୀ ନମକିନ ଦର୍ଶକକୁ ବେଶ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ହିତେଶ ଭାଟିଆ । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଉଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବ ଫିଲ୍ମ ଶର୍ମାଜୀ ନମକୀନ ।