୪୩ ବର୍ଷ ପୂର୍ବେ ସେୟାର କିଣି ଭୁଲିଗଲେ, ଏବେ ବଜାର ମୂଲ୍ୟ ପହଞ୍ଚିଲାଣି ୧୪୪୮ କୋଟି । ଟଙ୍କା ମାଗିବାରୁ କମ୍ପାନି କହୁଛି…

1,918

କନକ ବ୍ୟୁରୋ : କାହା ଭାଗ୍ୟ କେତେବେଳେ ବଦଳିଯାଏ ତାହାର କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ । ଆଉ ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ସେହି ତାଲିକାରେ କେରଳର ବାବୁ ଜର୍ଜ ବାଲାବି ରହିଛନ୍ତି । ଯାହାଙ୍କ ଭାଗ୍ୟ ୪୩ ବର୍ଷ ପରେ ବଦଳିଛି । ବାବୁ ଜର୍ଜଙ୍କ ସହ ଏମିତି କିଛି ଘଟିଛି ତାହା ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ । ୪୩ ବର୍ଷ ପୂର୍ବେ ବାବୁ ଜର୍ଜ କିଛି ସେୟାର କିଣି ଭୁଲି ଯାଇଥିଲେ । କିନ୍ତୁ ୪୩ ବର୍ଷ ପରେ ସେହି ସେୟାରର ମୂଲ୍ୟ ୧୪୪୮ କୋଟିରେ ପହଞ୍ଚିଛି । ଏଭଳି ଏକ ଘଟଣା କେରଳରୁ ସାମ୍ନାକୁ ଆସିଛି ।

୪୩ ବର୍ଷ ପୂର୍ବେ ଅଥାର୍ତ ୧୯୭୮ରେ ବାବୁ ଜର୍ଜ ବାଲାବି ଓ ତାଙ୍କର ୪ ଜଣ ସମ୍ପର୍କୀୟ ମେୱାଡ ଅଏଲ ଆଣ୍ଡ ଜେନେରାଲ ମିଲ୍ସ ଲିମିଟେଡର ୩୫୦୦ ସେୟାର କିଣିଥିଲେ । ସେହି ସମୟରେ ଏହି କମ୍ପାନି ଉଦୟପୁରର ଅନଲିଷ୍ଟେଡ କମ୍ପାନିରେ ପରିଗଣିତ ହେଉଥିଲା । ୭୪ ବର୍ଷୀୟ ବାବୁ ଏହି କମ୍ପାନିର ସେତେବେଳେ ଡିଷ୍ଟ୍ରିବ୍ୟୁଟର ଥିଲେ । ୩୫୦୦ ସେୟାର କିଣିଥିବାରୁ କମ୍ପାନିରେ ତାଙ୍କର ୨.୮% ଭାଗିଦାରୀ ରହିଥିଲା । ଏହାଛଡା କମ୍ପାନିର ଫାଉଣ୍ଡର ତଥା ଚେୟାରମ୍ୟାନ ପି.ପି ସିଂଘଲ ଓ ବାବୁ ସାଙ୍ଗ ଥିବାରୁ ସେୟାରକୁ ନେଇ ଏତେ ଦ୍ୱନ୍ଦ୍ୱ ମଧ୍ୟ ନଥିଲା । ଯେହେତୁ ଏହି କମ୍ପାନି ଅନଲିଷ୍ଟେଡ କମ୍ପାନି ଥିଲା ତେଣୁ ସେୟାରରୁ ଏତେଟା ଲାଭ ମଧ୍ୟ ମିଳିନଥିଲା । ତେଣୁ କିଛି ବର୍ଷ ପରେ ଏହି ସେୟାର କଥା ଭୁଲି ଯାଇଥିଲେ ବାବୁ ।

୨୦୧୫ରେ ବାବୁ କିଛି ପୁରୁଣା ଦସ୍ତାବିଜ ଦେଖୁଥିବା ବେଳେ ଜାଣିବାକୁ ପାଇଥିଲେ ଯେ, ୧୯୭୮ରେ ଉଦୟପୁରର ଏକ କମ୍ପାନିରେ ସେ ନିବେଶ କରିଥିଲେ । ବାବୁଙ୍କ ପାଖରେ ସବୁ କାଗଜପତ୍ର ଥିବା ବେଳେ ଏହି ସେୟାର ବାବଦରେ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲେ । ଆଉ ଜାଣିବାକୁ ପାଇଥିଲେ ଯେ, ସେ ସେୟାର କିଣିଥିବା କମ୍ପାନିର ନାଁ ପରିବର୍ତ୍ତନ କରାଯାଇ ପିଆଇ ଇଣ୍ଡଷ୍ଟ୍ରିଜ୍ କରାଯାଇଛି । ଏପରିକି ଏହି କମ୍ପାନି ଏବେ ଲାଭଜନକ ସ୍ଥିତିରେ ଅଛି । ତେବେ ନିଜ ପୁରୁଣା ସେୟାର ବାବଦ ଟଙ୍କା ପାଇବାକୁ ଯେତେବେଳେ ବାବୁ ଉଦ୍ୟମ ଆରମ୍ଭ କଲେ ସେତେବେଳେ ତାଙ୍କୁ ବଡ ଝଟକା ଲାଗିଥିଲା । ଏପରିକି କମ୍ପାନିର ସେୟାରରେ ବାବୁଙ୍କର କୌଣସି ଭାଗିଦାରୀ ନାହିଁ ବୋଲି କମ୍ପାନି ସଫା ସଫା ମନା କରିଦେଲା । ବାବୁ କିଣିଥିବା ସେୟାର ୧୯୮୯ ମସିହାରେ ଅନ୍ୟ କାହାକୁ ବିକ୍ରି କରାଯାଇଥିବା କହିଥିଲା କମ୍ପାନି । କିନ୍ତୁ କିଣିଥିବା ସେୟାର କେବେ ବିକି ନଥିବା କହିଥିଲେ ବାବୁ ଏବଂ ପିଆଇ ଇଣ୍ଡଷ୍ଟ୍ରିଜ ତାଙ୍କ ସେୟାରକୁ ବେନିୟମ ଭାବେ ଆଉ କାହାକୁ ବିକ୍ରି କରିଥିବା ନେଇ ଅଭିଯୋଗ କରିଥିଲେ ।

ଯେତେବେଳେ ବାବୁ ୧୯୭୮ରେ ଏହି କମ୍ପାନିରେ ସେୟାର କିଣିଥିଲେ ସେତେବେଳେ ତାଙ୍କର ଭାଗିଦାରୀ ୨.୮ ପ୍ରତିଶତ ଥିଲା । ଯାହା ଏବେ ୪୨,୨୮ ଲକ୍ଷ ସେୟାର ହୋଇସାରିଛି । ଏହି ସେୟାରର ବଜାର ମୂଲ୍ୟ ୧୪୪୮ କୋଟି ଜାଣିବା ପରେ ବାବୁ ଟଙ୍କା ଫେରି ପାଇବାକୁ ଦାବି କରିଥିଲେ । କିନ୍ତୁ ବାବୁଙ୍କ ଏଭଳି ଦାବିକୁ କମ୍ପାନି ପ୍ରଥମେ ଖଣ୍ଡନ କରିଥିଲା । କାରଣ ଏତେ ଟଙ୍କା କମ୍ପାନି କର୍ତ୍ତୃପକ୍ଷ ବାବୁଙ୍କୁ ଦେବାକୁ ଚାହୁଁନଥିଲେ । ଏପରିକି ବାବୁଙ୍କୁ କମ୍ପାନି ପକ୍ଷରୁ ଦିଲ୍ଲୀ ଡକାଯାଇଥିଲେ ମଧ୍ୟ ସେ ଯାଇନଥିଲେ । ଫଳରେ କମ୍ପାନି ୨ ଜଣ କର୍ମଚାରୀଙ୍କୁ ଏହି ଘଟଣାର ସତ୍ୟତା ଜାଣିବାକୁ କେରଳ ପଠାଇଥିଲା । ଆଉ କାଗଜପତ୍ର ଦେଖିବା ପରେ ମଧ୍ୟ କମ୍ପାନି ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ଫଳରେ ବାବୁ ଏବେ ‘ସେବି’ରେ ଏନେଇ ଅଭିଯୋଗ କରିଛନ୍ତି ଓ ନ୍ୟାୟ ମିଳିବ ବୋଲି ଆଶା ବାନ୍ଧିଛନ୍ତି । ଏବେ ସେବି କଣ ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।