କନକ ବ୍ୟୁରୋ: ଶୁକ୍ରବାର ଭାରତୀୟ ସେୟାର ମାର୍କେଟ ପାଇଁ ବ୍ଲାକ ଫ୍ରାଇଡେ ସାବ୍ୟସ୍ତ ହୋଇଛି । ଆଜି ସେନସେକ୍ସ ୧୧ ଶହ ପଏଣ୍ଟହ୍ରାସ ପାଇଛି । ତେବେ ମାତ୍ର କିଛି ପଏଣ୍ଟର ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ବ୍ୟାଙ୍କିଂ ସେକ୍ଟରରେ ନିବେଶକଙ୍କୁ ଜୋରଦାର ଝଟକା ଲାଗିଛି । ନିଫଟି ବ୍ୟାଙ୍କ ଇଣ୍ଡେକ୍ସ ମଧ୍ୟ ୨.୭ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି ।

ବିଏସଇ ସେନସେକ୍ସ ୧୦୨୦.୮୦ ଅଙ୍କ ଅର୍ଥାତ ୧.୭୩ ପ୍ରତିଶତ ତଳକୁ ଖସି ୫୮ ହଜାର ୯୮.୯୨ ପଏଣ୍ଟରେ କାରବାର ଶେଷ କରିଛି । ସେହିଭଳି ନିଫ୍ଟି ୩୦୨.୫୦ ଅଙ୍କ ଅର୍ଥାତ ୧.୭୨ ପ୍ରତିଶତ ହ୍ରାସ ପାଇଛି । ୧୭୩୨୭.୩୦ ପଏଣ୍ଟ ସହ ଏହା କାରବାର ଶେଷ କରିଛି । ଅନ୍ୟପଟେ ନିଫ୍ଟି ବ୍ୟାଙ୍କ ୧୦୮୪.୩୦ ପଏଣ୍ଟ ହ୍ରାସ ପାଇ ୩୯ ହଜାର ୫୪୬.୩୦ ପଏଣ୍ଟରେ କାରବାର ଶେଷ କରିଛି । ଏହା ପୁଣିଥରେ ୪୦ ହଜାରରୁ ଖସି କାରବାର ବନ୍ଦ କରିଛି ।

ଅଲଗା ଅଲଗା ଇଣ୍ଡେକ୍ସକୁ ଯଦି ଦେଖିବା ବ୍ୟାଙ୍କିଂ ସେକ୍ଟରକୁ ସବୁଠାରୁ ଅଧିକ ଝଟକା ଲାଗିଛି । ପବ୍ଲିକ ସେକ୍ଟର ବ୍ୟାଙ୍କ ସବୁଠାରୁ ଅଧିକ କ୍ଷତିର ସାମ୍ନା କରିଛନ୍ତି । ପିଏସୟୁ ବ୍ୟାଙ୍କରେ ୩.୯୭ ପ୍ରତିଶତ ହ୍ରାସ ଆସିଥିବା ବେଳେ ଘରୋଇ ବ୍ୟାଙ୍କ ଇଣ୍ଡେକ୍ସରେ ୨.୬୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଫାଇନାନ୍ସ ସେକ୍ଟରରେ ୨.୪୮ ପ୍ରତିଶତ, ରିଆଲିଟି କ୍ଷେତ୍ରରେ ୨.୯୬ ପ୍ରତିଶତ, ଶକ୍ତି କ୍ଷେତ୍ରରେ ୨.୬୬ ପ୍ରତିଶତ ହ୍ରାସ ପାଇଛି ।

ଏହି ହ୍ରାସ ପାଇଁ ଅନେକ କାରଣ ମଧ୍ୟ ସାମ୍ନାକୁ ଆସିଛି । ପ୍ରଥମତଃ ଆମେରିକା ଫେଡ୍ ଦ୍ୱାରା ସୁଧ ହାର ବୃଦ୍ଧି, ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା, ଦ୍ୱିତୀୟ କାରଣଟି ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାର ବୃଦ୍ଧି । ଗତ ୪୦ମାସ ମଧ୍ୟରେ ପ୍ରଥମ ଥର ବ୍ୟାଙ୍କିଂ ପ୍ରଣାଣୀରେ ଲିକ୍ୟୁଡିଟି ଘାଟାରେ ଚାଲିଛି । ଲିକ୍ୟୁଡିଟିକୁ ସୁଧାର କରିବାରେ ଆରବିଆଇ ଗୁରୁବାର ୫୦ ହଜାର କୋଟି ଟଙ୍କା ଭେରିଏବଲ ରେଟ ରୋପୋର ନିଲାମୀ କରିଥିଲା ।