ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମାନଙ୍କ ଭିତରେ ଭୂକମ୍ପ ଦେଖିବାକୁ ମିଳିଛି । ବୁଧବାର ଲୋଜତାନ୍ତ୍ରିକ ଜନତା ଦଳର ମୁଖ୍ୟ ସରଦ ଯାଦବଙ୍କ ଝିଅ କଂଗ୍ରେସରେ ଯୋଗ ଦେଇଛନ୍ତି

କଂଗ୍ରେସରେ ଶରଦଙ୍କ ଝିଅ ସୁଭାଷୀନି

764

କନକ ବ୍ୟୁରୋ : କ୍ଷମତା ଲୋଭରେ ବଳି ପଡୁଛି ଆଦର୍ଶ । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳର ଟ୍ରେଣ୍ଡ ଏବେ ଏକ ପ୍ରମୁଖ ଧାରା ହେବାକୁ ଯାଉଛି । ଯାହାକୁ ଟିକେଟ୍ ମିଳିଲା ସେ ଦଳରେ ରହିଲା ତ ଯାହାକୁ ଟିକେଟ୍ ନମିଳିଲା ସେ ଦଳ ଛାଡିଲା । ଏଭଳି ଧାରାରେ ଆଜି ଲୋକତାନ୍ତ୍ରିକ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ଶରଦ ଯାଦବଙ୍କ ଝିଅ ସୁଭାଷିନ ରାଜ ରାଓ । ଦିଲ୍ଲୀର କଂଗ୍ରେସ ଭବନରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ସେ କଂଗ୍ରେସ ଟିକେଟରେ ବିଧାନ ସଭା ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି ।

କଂଗ୍ରେସରେ ଯୋଗଦେବା ପରେ ସୁଭାଷିନୀ କହିଛନ୍ତି କି ତାଙ୍କ ପିତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ମାତ୍ର ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ସୁନ୍ଦର ବିହାର ନିର୍ମାଣ ପାଇଁ ସହଯୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଶରଦ ଯାଦବ ପ୍ରଥମେ ଜେଡିୟୁର ମୁଖ୍ୟ ଥିଲେ । ହେଲେ ନିତୀଶଙ୍କ ସହିତ ମତଭେଦ ରହିବାରୁ ସେ ନିଜେ ଲୋକତାନ୍ତ୍ରୀକ ଜନତା ଦଳ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ମହାଗଠବନ୍ଧନ ସହିତ ସାମିଲ ଥିଲେ । ହେଲେ କିଛିଦିନ ହେବ ଶରଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏବେ ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିଛିଦିନ ପୂର୍ବରୁ ସୁଭାଷିନୀ ଏନେଇ ଏକ ବୟାନ ଜାରୀ କରିଥିଲେ ।

କହିରଖୁ କି ଏଥର ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ, ଆରଜେଡି, ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମଏଲଏ) ପ୍ରମୁଖ ଦଳଙ୍କୁ ନେଇ ମହାଗଠବନ୍ଧନ କରାଯାଇଛି । ବିହାରରେ କଂଗ୍ରେସକୁ ମେଣ୍ଟ ପକ୍ଷରୁ ୭୦ ଟି ଆସନ ମିଳିଛି । ଏଥର ବିହାର ବିଧାନସଭା ପାଇଁ ୩ ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ୨୮ ଅକ୍ଟୋବର, ୩ ନଭେମ୍ବର ଓ ୭ ନଭେମ୍ବରକୁ ମତଦାନ ଗ୍ରହଣ କରାଯିବ ଓ ୧୦ ନଭେମ୍ବରକୁ ଫଳା ଫଳ ପ୍ରକାଶ କରାଯିବ ।

ଅନ୍ୟପଟେ ବୁଧବାର ଦିନ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଙ୍କ ପୂର୍ବରୁ ତାଙ୍କ ବଡ ଭାଇ ତେଜ୍ ପ୍ରତାପ ଯାଦବ ନାମାଙ୍କନ ଦାଖଲ କରିଛନ୍ତି । ବିହାରରେ ମୋଟଠ ୨୪୩ ଆସନ ମଧ୍ୟରୁ ଆରଜେଡି ୧୪୦ ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି ।