ନୀତିଶ କୁମାର ହେବେ ଏନଡିଏର ଆବାହକ, ମୋଦୀ ସରକାରରେ ଜେଡିୟୁର ୨ଜଣ ମନ୍ତ୍ରୀ !

53

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ) ସୁପ୍ରିମୋ ନୀତିଶ କୁମାର ଦେଶର ରାଜନୀତିରେ ଏକ ବିଶାଳ ପରିବର୍ତ୍ତ ନ ଆଣିପାରନ୍ତି । ଖବର ଅନୁସାରେ ବିହାର ରାଜଧାନୀ ପାଟଣାରେ ଅଗଷ୍ଟ ୧୯ରେ ଜେଡିୟୁର ପ୍ରସ୍ତାବିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନୀତିଶ ଜେଡିୟୁକୁ ଏନଡିଏର ଏକ ଅଂଶ ବିଶେଷ ବୋଲି ଘୋଷଣା କରିପାରେ । ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ନୀତିଶଙ୍କୁ ଏନଡିଏରେ ବଡ ଦାୟିତ୍ୱ ମିଳିପାରେ ।

କୁହାଯାଉଛି ଯେ, ନୀତିଶ କୁମାର ଏନଡିଏରେ ଆବହକ ହୋଇପାରନ୍ତି । କାରଣ ଏନଡିଏରେ ସାମିଲ ହେବାକୁ ଶନିବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନୀତିଶଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥି ସହିତ ନରେନ୍ଦ୍ର ମୋଦୀ ସରକାରରେ ଜେଡିୟୁର ଜଣେ ନେତାଙ୍କୁ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଅନ୍ୟ ଜଣେ ଜେଡିୟୁ ନେତାକୁ ରାଜ୍ୟମନ୍ତ୍ରୀ ପଦ ମିଳିବ ବୋଲି ରାଜନୀତିଜ୍ଞମାନେ ଅନୁମାନ କରିଛନ୍ତି ।

ଅନ୍ୟପକ୍ଷରେ ଜେଡିୟୁରେ ବର୍ତ୍ତମାନ ନିଜ ନିଜ ଭିତରେ କଳହ ଲାଗି ରହିଛି । ରାଜ୍ୟସଭା ସାଂସଦ ଶରଦ ଯାଦବ ଓ ଅଲି ଅନୱର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନିଷ୍ପତ୍ତି ବିରୋଧରେ ଅଛନ୍ତି । ଅଲି ଅନୱରଙ୍କୁ ପାର୍ଟିର ସଂସଦୀୟ ଦଳରୁ ବହିଷ୍କାର କରିଦେଇଛି । ସେହିପରି ବରିଷ୍ଠ ନେତା ଶରଦ ଯାଦବଙ୍କୁ ରାଜ୍ୟସଭାରେ ପାର୍ଟିର ସଂସଦୀୟ ନେତା ପଦରୁ ବାହାର କରି ଦିଆଯାଇଛି । ଶରଦ ଯାଦବଙ୍କ ସ୍ଥାନରେ ଆରସିପି ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟସଭାରେ ଜେଡିୟୁର ୧୦ ସଦସ୍ୟ ଅଛନ୍ତି । ପୂର୍ବରୁ ନୀତିଶ କୁମାର ଓ ଶରଦ ଯାଦବଙ୍କ ମଧ୍ୟରେ ମତମତାନ୍ତର ହୋଇଥିଲା । ନୀତିଶ କୁମାର କଂଗ୍ରେସ ଓ ଆରଜେଡି ସହିତ ସମ୍ପର୍କ ଶେଷ କରି ବିଜେପିର ହାତ ଧରି ସରକାର ଗଠନ କରିଛନ୍ତି । ଭାଜପା ଅଧ୍ୟକ୍ଷ ଅମିତ ଶାହା ଶନିବାର ନୀତିଶଙ୍କୁ ଏନଡିଏରେ ଯୋଗଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ।