ମହାରାଷ୍ଟ୍ର ନାଟକରେ ମହାମୋଡ: ଶିବସେନା ନୁହେଁ ବିଜେପି ନେତୃତ୍ୱରେ ଗଠନ ହେଲା ନୂଆ ସରକାର; ମୁହଁ ଖୋଲିଲେ ଶରଦ, କହିଲେ ଦଳକୁ ଭାଙ୍ଗି ଦେଇଛନ୍ତି ଅଜିତ

3,501

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ଓଲଟପାଲଟ । ରାତିକ ଭିତରେ ବଦଳିଲା ସଂପୂର୍ଣ୍ଣ ଚିତ୍ର । ଶିବସେନା ବଦଳରେ ବିଜେପି ନେତୃତ୍ୱରେ ଗଠନ ହେଲା ସରକାର । ସକାଳୁ ସକାଳୁ ହଠାତ ରାଜଭବନରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗତକାଲି ରାତି ସୁଦ୍ଧା ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଜ ସଂକେତ ସହମତି ହୋଇଥିବା କହିଥିଲେ ଏନସିପି ମୁଖିଆ ଶରଦ ପାୱାର । କିନ୍ତୁ ଆଜି ହଠାତ୍ ମହାରାଷ୍ଟ୍ର ରାଜନୀତି ସମସ୍ତଙ୍କୁ ଚମକାଇ ଦେଇଛି । ଫଳରେ ବିଜେପିକୁ ଶାସନରୁ ଦୂରରେ ରଖିବାକୁ ଚାଲିଥିବା ଉଦ୍ୟମକୁ ଲାଗିଛି ବଡ ଝଟ୍କା । ଗତକାଲି ରାତିରେ ଶିବସେନା- ଏନସିପି ଓ କଂଗ୍ରେସ ମେଂଟର ସରକାର ହେବା ନେଇ ସ୍ପଷ୍ଟ ସୂଚନା ମିଳିଥିଲା । କିନ୍ତୁ ଅସମ୍ଭବ ନିରବତା ଅବଲମ୍ବନ କରିଥିବା ବିଜେପି ହଠାତ୍ ସରକାର ଗଠନ କରିଛି ।

ଦେବେନ୍ଦ୍ର ଫଡନବିସ୍ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ୍ ପାୱାରଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଟୁଇଟ୍ କରି କହିଛନ୍ତି, ମହାରାଷ୍ଟ୍ରର ଉଜ୍ୱଳ ଭବିଷ୍ୟତ ପାଇଁ ଦୁହେଁ ମିଳିତ ଭାବେ କାର୍ଯ୍ୟ କରିବେ । ସେହିପରି ଫଡନବିସ୍ ଓ ଅଜିତ ପାୱାରଙ୍କୁ ଶୁଭେଛା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।

ବିଜେପିକୁ ଏନସିପିର ଅଜିତ୍ ପାୱାର ସମର୍ଥନ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶରଦ ପାୱାର । କହିଛନ୍ତି, ଅଜିତ୍ ଦଳକୁ ଭାଙ୍ଗି ଦେଇଛନ୍ତି । ବିଜେପିକୁ ସମର୍ଥନ ଦେବା ଏନସିପିର ନିଷ୍ପତି ନୁହେଁ । ଏନସିପି ଏହି ନିଷ୍ପତି ସହ ନାହିଁ । ଶରଦ ପାୱାର ଉଦ୍ଧବଙ୍କ ସହ କଥା ହୋଇଛନ୍ତି ।ଏନସିପିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ମହାରାଷ୍ଟ୍ରରେ ଗଠିତ ସରକାରରେ ଶରଦ ପାୱାରଙ୍କର କୌଣସି ସମ୍ପର୍କ ନାହିଁ । ଏବଂ ଅଜିତ୍ ପାୱାରଙ୍କ ନିଷ୍ପତିକୁ ସମର୍ଥନ କରୁନାହାଁନ୍ତି । ବିଜେପିକୁ ସମର୍ଥନ ଦେବା ଅଜିତ୍ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତି । ଏନସିପି ମୁଖ୍ୟ ମୁଖପାତ୍ର କହିଛନ୍ତି ଏନସିପି ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ହସ୍ତାକ୍ଷର ପତ୍ରକୁ ଦୁରୂପଯୋଗ କରାଯାଇଛି । ସେହି ପତ୍ରକୁ ରାଜ୍ୟପାଳଙ୍କ ପାଖରେ ଜମା କରି ସକାଳେ ଶପଥ ନେଇଛନ୍ତି ଫଡନବିସ୍ ଓ ଅଜିତ ।

ସେପଟେ, ଫଡନବିସ୍ ଓ ଅଜିତ୍ ଶପଥ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ୍ । କହିଛନ୍ତି, ଅଜିତ୍, ଶରଦ ପାୱାରଙ୍କୁ ଧୋକା ଦେଇଛନ୍ତି । ଗତକାଲି ରାତି ୯ଟା ପର୍ଯ୍ୟନ୍ତ ସାଥିରେ ଥିଲେ ଅଜିତ୍ । ହେଲେ ରାତି ଅନ୍ଧାର ଭିତରେ ଏଭଳି କରିଛନ୍ତି । ଅର୍ଥ ଓ କ୍ଷମତା ବଳରେ ଖେଳ ଖେଳିଛି ବିଜେପି । କ୍ଷମତାର ଦୂରପଯୋଗ କରିଛନ୍ତି ରାଜ୍ୟପାଳ । କ୍ଷମତା ପାଇଁ ଫଡନବିସ୍ ସବୁକିଛି କରିିପାରନ୍ତି । ସେପଟେ, ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟାର ଜବାବ ରଖିଛି ବିଜେପି । ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ବିଜେପିକୁ ଧୋକା ଦେଇଛି ଶିବସେନା । ସଞ୍ଜୟ ରାଉତଙ୍କ ମୁହଁରେ ଏଭଳି କଥା ଶୋଭା ପାଉନାହିଁ ।