କନକ ବ୍ୟୁରୋ: ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଶରତ ପାୱାରଙ୍କ ପରେ ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ଆହଡ ଏବଂ ଅନ୍ୟ କିଛି ନେତା ମଧ୍ୟ ଇସ୍ତଫା ଦେଇଛନ୍ତି । ଏପଟେ ବୁଧବାର ମୁମ୍ବାଇରେ ଅଜିତ୍ ପାୱାରଙ୍କ ନେତୃତ୍ୱରେ ଏନସିପିର ଉଚ୍ଚସ୍ତରୀରବୈଠକ ହୋଇଛି । ଏହାରି ଭିତରେ ମହାରାଷ୍ଟ ରାଜନୀତିରେ ବଡଧରଣର ପରିବର୍ତନ ହେବ ବୋଲି କହିଛନ୍ତି ବିଜେପିର ଜାତୀୟ ଉପ-ସଭାପତି ଦିଲ୍ଲୀପ ଘୋଷ । ଫଳରେ ଅଜିତ୍ ପାୱାରଙ୍କ ନେତୃ୍ତ୍ୱରେ ଏନସିପି ବିଜେପିର ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
୧୯୯୯ ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ବିରୋଧ କରି ଦଳ କଂଗ୍ରେସରୁ ଅଲଗା ହୋଇଥିଲେ ଶରଦ ପାୱାର । ସୋନିଆଙ୍କ ବିଦେଶ ନାଗରିକତାକୁ ବିରୋଧ କରିବା ସହ ଦଳକୁ ଅଲଗା ହୋଇ ନୂଆ ଦଳ ଏନସିପି ଗଠନ କରିଥିଲେ ପାୱାର । ୨୪ ବର୍ଷ ପରେ ଦଳରୁ ବିଦାୟ ନେଇଛନ୍ତି ପାୱାର । ନୂଆ ନେତାଙ୍କ ପାଇଁ ବାଟ ଛାଡିବାକୁ ଇସ୍ତଫା ଦେଇଥିବା କହିଛନ୍ତି ଶରଦ ପାୱାର । ହେଲେ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର ୫୪ ବିଧାୟକରୁ ୩୪ ଜଣ ବିଜେପି ସହ ମିଶିବା ସପକ୍ଷରେ ଥିବା କୁହାଯାଉଛି । ତେଣୁ ସେ ବାଧ୍ୟ ହୋଇ ଇସ୍ତଫା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ତାଙ୍କୁ ଦଳକୁ ପୁଣି ଫେରି ଆସିବାକୁ ଅନେକ ଦଳୀୟ ନେତା ଓ କର୍ମୀ ଅନୁରୋଧ କରିଛନ୍ତି ।
ଏପଟେ ସୁପ୍ରିମକୋର୍ଟରେ ଶିବସେନାର ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ମାମଲାର ଶୁଣାଣି ହେବାର ଅଛି । ଯଦି ଏକନାଥ ଗୋଷ୍ଠୀ ହାରିଯାଆନ୍ତି, ତେବେ ତାଙ୍କର ୧୫ ବିଧାୟକଙ୍କ ବିଧାୟକ ପଦ ଯାଇପାରେ । ଏପରି ସ୍ଥଳେ ବିଜେପି-ଏକନାଥ ସିନ୍ଦେ ସରକାର ଭାଙ୍ଗି ଯିବାର ସମ୍ଭବନା ରହିଛି । ତେଣୁ ବିଜେପି ପ୍ଲାନ-ବି ଅନୁସାରେ ଏନସିପି ସମର୍ଥନରେ ସରକାର ବଂଚାଇବୁ ଯୋଜନା କରୁଥିବା କୁହାଯାଉଛି ।