କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ କି ସେ ରେସରେ ନାହାନ୍ତି । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବାବଦରେ ଏପରି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ ତଥା ଏନସିପିର ବରିଷ୍ଠ ନେତା । ଗତକାଲି ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ଏନସିପି କାର୍ଯ୍ୟ କମିଟି ବୈଠକରେ ଶରଦ ପାୱାରଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି ।

ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଶରଦ ପାୱାର ବିରୋଧୀଙ୍କ ଚେହେରା ନୁହଁନ୍ତି । ଏବେର ପରିସ୍ଥିତିକୁ ଅନୁଧ୍ୟାନ କଲେ ଏନସିପି ଏକ ବଡ ଭୂମିକା ଗ୍ରହଣ କରିବାକୁ ଯାଉଛି । ଖାସକରି ଶରଦ ପାୱାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । କେସିଆର, ଷ୍ଟାଲିନ, ମମତା ବାନାର୍ଜୀ, ସୀତାରାମ ୟେଚୁରୀ ଏବଂ କଂଗ୍ରେସ ନେତାମାନେ ଶରଦ ପାୱାରକୁ ପାଖକୁ ଆସନ୍ତି । ଏହା ପଛରେ ପାୱାରଙ୍କ ଭିଜନ ରହିଛି । ସେ ସମସ୍ତ ପାର୍ଟିକୁ ଏକାଠି ଆଣିପାରିବେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳ ସକ୍ରିୟ ହୋଇଛନ୍ତି । ଆଞ୍ଚଳିକ ଦଳ ଗୁଡିକ ଗୋଟିଏ ଦୁଇଟି ରାଜ୍ୟରେ ସୀମିତ ରହିଛନ୍ତି । କିନ୍ତୁ ଅନ୍ୟାନ୍ୟ ଆଂଚଳିକ ଦଳକୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ବଡ ମଞ୍ଚ ପ୍ରସ୍ତୁତ କରିବାକୁ ଲାଗିପଡିଛନ୍ତି ।