ମହାରାଷ୍ଟ୍ର ମେଂଟରେ ଫାଟ : ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆଜି ନିଷ୍ପତ୍ତି 

ଶିବସେନା ସାଂସଦ ସଂଜୟ ରାଉତଙ୍କ ଟୁଇଟକୁ ନେଇ ବଢିଲା ଚର୍ଚ୍ଚା

171

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ଖେଳିଯାଇଛି । ସ୍ଥିତି ଏପରି ହୋଇଛି ଯେ ଏବେ ମହାରାଷ୍ଟ୍ର ମହାବିକାଶ ଅଘାଡି ମେଂଟରେ ଫାଟ ସୃଷ୍ଟି ହେବାକୁ ବସିଲାଣି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂ ଶହେ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଅଭିଯୋଗ ପରେ ତାଙ୍କ ମନ୍ତ୍ରୀ ପଦ ବିପଦରେ ପଡିଛି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ତୁରନ୍ତ ପଦରୁ ହଟାଇବା ପାଇଁ ମେଂଟର କିଛି ନେତା ଖୋଲାଖୋଲି ଦାବି କରୁଥିବା ବେଳେ କିଛି ନେତା ସପକ୍ଷରେ ମତ ଦେଉଛନ୍ତି ।

ଅନ୍ୟପଟେ ଗତକାଲି ଶରଦପାୱାର କହିଥିଲେ, ଦେଶମୁଖ ପଦରେ ରହିବେ ନା ଯିବେ ସେନେଇ ନିଷ୍ପତ୍ତି ନେବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ରହିଛି । ତେଣୁ ଆଜି ଅନୀଲ ଦେଶମୁଖଙ୍କ ପଦକୁ ନେଇ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମେଂଟରେ ଅସନ୍ତୋଷ ବଢୁଥିବାରୁ ଆଜି ମହାବିକାଶ ଅଘାଡି ମେଟର ବୈଠକ ବସିବ ଓ ଦେଶମୁଖଙ୍କ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦେଶମୁଖ ଇସ୍ତଫା ଦେବେ ନାହିଁ ବୋଲି ଶରଦ ପାୱାରଙ୍କ ବାସଭବନରେ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏପରି ସ୍ଥିତିରେ ଯଦି ଅନୀଲ ଦେଶମୁଖଙ୍କୁ ଉଦ୍ଧବ ଠାକରେ ଗୃହମନ୍ତ୍ରୀ ପଦରୁ ହଟାଇ ଦିଅନ୍ତି, ତେବେ ମେଂଟରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ନେଇ ମହାବିକାଶ ଅଘାଡି ମେଂଟରେ ଅସନ୍ତୋଷ ବଢିଥିବା ବେଳେ ଶିବସେନା ସାଂସଦ ସଂଜୟ ରାଉତଙ୍କ ଏକ ଟୁଇଟ କରିଛନ୍ତି । ବଲିଉଡ ସଙ୍ଗୀତକାର ଜାଭେଦ ଅଖତାରଙ୍କ ଏକ ସାୟରୀକୁ ଟୁଇଟ କରିଛନ୍ତି ସଂଜୟ ରାଉତ୍ । ଟୁଇଟରେ ସେ ଲେଖିଛନ୍ତି ସୁପ୍ରଭାତ, “ହମକୋ ତୋ ବସ ତଲାସ ନୟେ ରାସ୍ତେ କି ହୈ, ହମ ହେ ମୁସାଫିର ଐସେ ଯୋ ମଞ୍ଜିଲ ସେ ଆୟେ ହୈଁ” । ସଂଜୟଙ୍କ ଏହି ଟୁଇଟ ପରେ ଶିବସେନା ପୁଣି ନିଜ ପୁରୁଣା ମେଂଟର ସାଥୀ ବିଜେପି ସହ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ସହ ମେଂଟ ତୁଟିବା ପରେ ସଂଜୟ ରାଉତ ହିଁ ମହାବିକାଶ ଅଘାଡି ମେଂଟ ପାଇଁ ଦଳ ପକ୍ଷରୁ ନିରନ୍ତର ଏନସିପି ଓ କଂଗ୍ରେସ ସହ ଯୋଗାଯୋଗ କରିଥିଲେ । ତେଣୁ ସଂଜୟ ରାଉତଙ୍କ ଏହି ଟୁଇଟ ଭିନ୍ନ ବାର୍ତ୍ତା ଦେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।