ହୋଟେଲ ଭିତରୁ ‘ପାୱାର’ ସୋ’ । ଏକାଠି ସାମ୍ନାକୁ ଆସିଲେ ଶିବସେନା-ଏନସିପି ଓ କଂଗ୍ରେସ । ହୋଟେଲରେ କରାଇଲେ ୧୬୨ ବିଧାୟକଙ୍କ ପରେଡ୍, ଟୁଇଟ କରି କହିଲେ ‘ଆମେ ଏକ’

ମହାରାଷ୍ଟ୍ରରେ ଚାଲିଛି ରାଜନୀତିର ମହାଭାରତ

375

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିକୁ ନେଇ ସୁପ୍ରମିକୋର୍ଟଙ୍କ ରାୟ ଆସିବା ପୂର୍ବରୁ ସରକାର ଗଠନ ନେଇ ଆସିଥିବା ନେତାଙ୍କ ବୟାନବାଜୀ ଏକ ରୋଚକ ସ୍ଥିତି ସୃଷ୍ଟି କରିଛି । ଶିବସେନା ସାଂସଦ କିଛି ସମୟ ତଳେ ଟୁଇଟ୍ କରି ଲେଖିଛନ୍ତି ଆମେ ଏକ, ଆମେ ଏକାଠି । ଯେଉଁଥିରେ ସରକାର ଗଠନ ପାଇଁ ତାଙ୍କ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ଟୁଇଟରେ ଲେଖିଛନ୍ତି । ଏମିତି କି ଏହାକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଟ୍ୟାଗକରି ଲେଖିଛନ୍ତି- ଆସନ୍ତୁ ଆଉ ଥରେ ଦେଖି ଯାଆନ୍ତୁ । ସୂଚନା ଅନୁସାରେ ଶିବସେନା, ଏନ୍ସିପି ଏବଂ କଂଗ୍ରେସର ବିଧାୟକମାନେ ଗ୍ରାଣ୍ଡ ହାୟତ ହୋଟେଲରେ ଏକାଠି ହେଉଛନ୍ତି । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଏହି ଗୋଷ୍ଠୀ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ଥିବା ନେଇ ଜଣାଇ ଦିଆଯାଇଛି । ଅନ୍ୟପଟେ ବିଜେପି ରଖିଛି ସମାନ ଦାବି । ଏପଟେ ବିଜେପି ପକ୍ଷରୁ କୁହାଯାଇଛି- ଗୃହରେ ବହୁମତ ସାବ୍ୟସ୍ତ କରିବା ପାଇଁ ଦଳ ପାଖରେ ଯଥେଷ୍ଟ ସଂଖ୍ୟା ରହିଛି । ସେହିପରି ଅପରେସନ୍ ଲୋଟସ୍ କିମ୍ବା ଅନ୍ୟଦଳର ବିଧାୟକଙ୍କୁ ଧମକ୍-ଚମକ୍ ଦେବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଭିତିହୀନ । ରାଜନୀତିର ଏହି ବୟାନ ଭିତରେ ମହାରାଷ୍ଟ୍ର ରାଜନୀତିକୁ ନେଇ ସୁପ୍ରିମକୋର୍ଟରେ କେମିତି ଥିଲା ବିତର୍କ ପଢନ୍ତୁ ଏହି ରିପୋର୍ଟ ।

 

ସଂଖ୍ୟା ନଥାଇ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେବା, ସକାଳ ୫ଟାରେ ରାଷ୍ଟ୍ରପତି ଶାସନ ଉଚ୍ଛେଦ କରିଦେବା ଓ ସକାଳ ୮ଟା ସୁଦ୍ଧା ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିଦେବା ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟରୁମ୍… ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ହୋଇଥିବା ରିଟ୍ ପିଟିସନର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨ ନମ୍ବର କୋର୍ଟରେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ସ୍ୱତନ୍ତ୍ର ଖଣ୍ଡପୀଠରେ କରାଯାଇଛି । ଅଚାନକ ରାଷ୍ଟ୍ରପତି ଶାସନ ଉଚ୍ଛେଦ କରି ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ବେଆଇନ ବୋଲି ଦର୍ଶାଇଥିଲେ ଶିବସେନା-ଏନସିପି-କଂଗ୍ରେସ । ଏହାକୁ ପ୍ରଥମେ ସୁପ୍ରିମକୋର୍ଟରେ ବିରୋଧ କରିଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟା ।

– ବିଜେପିର ୧୦୫, ଏନସିପିର ୫୪ ଓ ୧୧ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ ଦେବେନ୍ଦ୍ର ଫଡନଭିସ
– ଏନସିପିର ୫୪ ବିଧାୟକଙ୍କ ସମର୍ଥନ ରହିଥିବା ଚିଠିରେ ଜଣାଇଥିଲେ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର
– ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଦରକାର ହେଉଥିବାବେଳେ ୧୭୦ ବିଧାୟକଙ୍କ ସମର୍ଥନ ସଂବଳିତ ପତ୍ର ଥିବାରୁ ରାଜ୍ୟପାଳ ସରକାର ଗଠନ ପାଇଁ ଫଡନଭିସଙ୍କୁ ଆମନ୍ତ୍ରଣ କଲେ

ଶିବସେନା-ଏନସିପି-କଂଗ୍ରେସ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିଜେପିକୁ କାହିଁକି ତରବରିଆ ଭାବେ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଗଲା, ତାକୁ ହିଁ ପ୍ରସଙ୍ଗ କରିଥିଲେ ବିରୋଧୀ ମେଂଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ।

– ୨୨ ତାରିଖ ରାତିରେ ଶିବସେନା-ଏନସିପି ଓ କଂଗ୍ରେସ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସରକାର ଗଢିବାକୁ ଦାବି କଲେ
– ଉଦ୍ଧବ ଠାକରେଙ୍କୁ ମେଂଟ ସରକାରର ମୁଖ୍ୟମନ୍ତ୍ରୀ କରିବା ଲାଗି ମଧ୍ୟ ଘୋଷଣା ହୋଇଥିଲା
– କିନ୍ତୁ ଏମିତି କ’ଣ ଜରୁରୀ ପରିସ୍ଥିତି ଉପୁଜିଲା ଯେ, ସକାଳ ୫ଟାରେ ରାଷ୍ଟ୍ରପତି ଶାସନ ଉଚ୍ଛେଦ କରି ଫଡନଭିସଙ୍କୁ ଶପଥପାଠ କରାଗଲା?

ଶିବସେନା-ଏନସିପି ଓ କଂଗ୍ରେସର କହିବା ହେଲା ବିଜେପି ସଂଖ୍ୟାଲଘୁ ସରକାର ହୋଇଥିବାରୁ ପ୍ରଥମେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ କୋର୍ଟ । ଏଥିପାଇଁ ଅଧିକ ସମୟ ଦେଲେ ଘୋଡା ବେପାର ହେବାର ଆଶଙ୍କା ରହିଛି । ତେଣୁ ଏନସିପି ପକ୍ଷରୁ ଅଭିଶେକ ମନୁ ସିଂଘଭିଙ୍କ ଯୁକ୍ତି ଥିଲା ।

– ଉଭୟ ପକ୍ଷ ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଥିବାରୁ ତୁତନ୍ତ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ନିର୍ଦ୍ଦେଶ ଦିଆଯାଉ
– ଏଥିପାଇଁ ପ୍ରୋଟେମ ସ୍ପିକର ନିଯୁକ୍ତି କରିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ମହାବିକାଶ ଆଘାଡି ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ଯୁକ୍ତି କରିଥିବାବେଳେ ଏହାକୁ ବିରୋଧ କରିଥିଲେ ଆଟର୍ଣ୍ଣି ଜେନେରାଲ ମୁକୁଲ ରହତୋଗି । ଏହା ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର ହୋଇଥିବାରୁ ଏଥିରେ କୋର୍ଟ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରିଥିଲେ ।

– ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ରାଜ୍ୟପାଳ ୧୪ ଦିନର ମହଲତ ଦେଇଛନ୍ତି
– ପ୍ରୋଟେମ ସ୍ପିକର ନିଯୁକ୍ତି ପରେ ବିଧାୟକଙ୍କ ଶପଥ ଗ୍ରହଣ ହେବ ଓ ସ୍ଥାୟୀ ବାଚସ୍ପତି ନିଯୁକ୍ତି ପରେ ସଂଖ୍ୟା ପ୍ରମାଣ ଦିଆଯିବ

ତେବେ ସବୁ ପକ୍ଷର ଜବାବ ସୁଆଲ ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱଧୀନ ସରକାର କେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ, ତାହା ମଙ୍ଗଳବାର ଦିନ ସାଢେ ୧୦ଟାରେ ସ୍ଥିର କରିବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।