କନକ ବ୍ୟୁରୋ : ଏନସିପି ନେତା ଅଜିତ ପାୱାର ୯ ବିଧାୟକଙ୍କ ସହ ସିନ୍ଦେ ସରକାରରେ ଶପଥ ନେବା ପରେ ମହାରାଷ୍ଟ୍ର ରାଜନୀତିରେ ଭୁକମ୍ପ ଦେଖିବାକୁ ମିଳିଛି । ଅଜିତଙ୍କ ଏଭଳି ନିଷ୍ପତ୍ତିରେ ଏନସିପି ସଭାପତି ଶରଦ ପାୱାର ଖୁସି ନଥିବା ବେଳେ ସୋମବାର ମହାରାଷ୍ଟ୍ରର ସତାରାରେ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ଶରଦ କହିଛନ୍ତି, ମହାରାଷ୍ଟ୍ରରେ ଜାତିବାଦର ରାଜନୀତି ଚଳିବ ନାହିଁ, ମହାରାଷ୍ଟ୍ରକୁ ନିଜର ଏକତା ଦେଖାଇବାକୁ ପଡିବ । ଏବେ ନିର୍ବାଚିତ ସରକାରକୁ ଭାଙ୍ଗି ଦିଆଯାଉଛି । ଆମକୁ ନୂଆ ଆରମ୍ଭ କରିବାକୁ ପଡିବ ।

Advertisment

ଶରଦ କହିଛନ୍ତି, ଆମର ବିଚାରଧାରା ସାମ୍ପ୍ରଦାୟିକତା ବିରୋଧରେ । ଏବେ ଫାଟ ସୃଷ୍ଟି କରି ଦଙ୍ଗା କରିବାକୁ ପ୍ରୟାସ କରାଯାଉଛି । ଆମେ ଉଦ୍ଧବଙ୍କ ସହ ମିଶି ମହାରାଷ୍ଟ୍ରର ସେବା କରୁଥିଲୁ । କିନ୍ତୁ କିଛି ଲୋକ ସରକାରକୁ ଭାଙ୍ଗିଦେଲେ । କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ହେଉଛି । ଜାତି ଓ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରାଯାଉଛି । କିନ୍ତୁ ଆମେ ମହାରାଷ୍ଟ୍ରକୁ ସଶକ୍ତ ନ କରି ଅଟକିବୁ ନାହିଁ । ବିଜେପି ସବୁବେଳେ ଏଭଳି ଖେଳ ଖେଳୁଛି । ତେଣୁ ତାଙ୍କୁ ସଠିକ୍ ରାସ୍ତା ଦେଖାଇବୁ ବୋଲି କହିଛନ୍ତି  ପାୱାର । ଆପଣଙ୍କ ସମର୍ଥନ ଜରିଆରେ ପୁଣିଥରେ ଶକ୍ତି ବୃଦ୍ଧି କରିବୁ ଏବଂ ମହାରାଷ୍ଟ୍ରକୁ ପ୍ରଗତି ପଥରେ ଆଗକୁ ନେବୁ ବୋଲି କହିଛନ୍ତି ଶରଦ ପାୱାର । ଆସନ୍ତା ୬ ମାସ ମଧ୍ୟରେ ମହାରାଷ୍ଟ୍ରର ପ୍ରତିଟି ଜନତାଙ୍କ ପାଖରେ ପହଞ୍ଚିବୁ ବୋଲି କହିଛନ୍ତି ଶରଦ ।