କନକ ବ୍ୟୁରୋ: ୨୦୨୪ରେ ମୋଦୀଙ୍କୁ କିଏ ଦେବ ଟକ୍କର? ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? କେଉଁ ଚେହେରାକୁ ନେଇ ବିରୋଧୀ ଲଢିବେ ୨୦୨୪ ନିର୍ବାଚନ? ଏହିଭଳି ଅନେକ ପ୍ରଶ୍ନକୁ ନେଇ ଦେଶର ରାଜନୀତି ସରଗରମ ରହିଥିବାବେଳେ, ଶରଦ ପାୱାର ବିରୋଧୀ ଶିବିରର ନେତା ହୋଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏହାରି ଭିତରେ ଏନସିପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ବଡ ବୟାନ ଦେଇଛନ୍ତି ।
ପୁଣେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିୟୋଗ ପରେ ଆୟୋଜିତ ହୋଇଥିବା ଶୋକସଭାରେ ଯୋଗ ଦେଇ ସେ ଏହି ବଡ ବୟାନ ରଖିଛନ୍ତି । ଶରଦ ପାୱାର କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ଦୌଡରେ ନାହାଁନ୍ତି । ସେ କେବଳ ବିରୋଧୀ ଦଳର ନେତୃତ୍ୱଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି । ତେବେ ଆସନ୍ତା ଲୋକସଭା ନିର୍ବାଚନ ସେ ଲଢିବେ ନାହିଁ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମହାରାଷ୍ଟ୍ରରେ ସିଟ୍ ଭାଗବଣ୍ଟାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ । ସେ କହିଛନ୍ତି, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସହିତ ସିଟ୍ ଭାଗବଣ୍ଟାକୁ ନେଇ ବୈଠକ ବସିସାରିଛି । ମହାବିକାଶ ଅଘାଡି ମେଣ୍ଟର ନେତା ଏହା ଉପରେ ନିଷ୍ପତ୍ତି ନେବେ । ତେବେ ଉଦ୍ଧବ ଠାକରେ, ସୋନିଆ ଗାନ୍ଧୀ ନଚେତ୍ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ସେ ଏନେଇ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଆଗକୁ ମ୍ୟୁନିସିପାଲଟି ନିର୍ବାଚନ ହେବାକୁ ଅଛି । କରୋନା କାରଣରୁ ଯାହାକି ହୋଇପାରିନଥିଲା । ଅନ୍ୟପଟେ ୨୦୨୪ରେ ଲୋକସଭା ନିର୍ବାଚନ ମଧ୍ୟ ହେବାକୁ ଅଛି, ଯାହାର କିଛି ମାସ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଏହା ପୂର୍ବରୁ ଶରଦ କେଉଁ ରଣନୀତି ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/1655900501_sharad-pawar.jpg)