ମୁଁ ଆଶ୍ଚର୍ଯ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାରରେ ଧାର୍ମିକ ନାରା ଦେଉଛନ୍ତି । କର୍ଣ୍ଣାଟକ ନିର୍ବାର୍ଚନର ଫଳାଫଳକୁ ନେଇ ବଡ ଭବିଷ୍ୟବାଣୀ କଲେ ଶରଦ ପାୱାର ।

503

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ତେବେ ଏହା ପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଶରଦ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ଧାର୍ମିକ ନାରା ଲଗାଉଛନ୍ତି । ଯେଉଁଠି ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାୱାର କହିଛନ୍ତି, ଆମେ ଧର୍ମନିରପେକ୍ଷତାର ଅବଧାରଣାକୁ ସ୍ୱୀକାର କରିଛୁ । କିନ୍ତୁ ଯେତେବେଳେ କୌଣସି ନିର୍ବାଚନରେ ଧର୍ମ କିମ୍ବା ଧାର୍ମିକ ମୁଦ୍ଦାକୁ ନେଇ ପ୍ରସଙ୍ଗ ଉଠେ ସେତେବେଳେ ଭିନ୍ନ ଏକ ମାହୋଲ ସୃଷ୍ଟି ହୁଏ । ଯାହା ଆଦୌ ଶୁଭଙ୍କର ନୁହେଁ ।

କେବଳ ଏତିକି ନୁହେଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ଶରଦ ପାୱାର । ସେ କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବ । ଏବେ ବିଜେପି ୫-୬ ରାଜ୍ୟରେ ସରକାରରେ ରହିଛି । ଅନ୍ୟ ରାଜ୍ୟ ଗୁଡିକରେ ଅଣ ବିଜେପି ସରକାର ରହିଛି । କିନ୍ତୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି ପାୱାର । ପୂରା ଦେଶର କଥା ଯଦି କହିବା ତେବେ ବିଜେପି କେଉଁଠି ଶାସନ କ୍ଷମତାରେ ରହିଛି । କେରଳରେ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରରେ ବିଜେପି ସରକାର ଅଛି କି? ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ବିଜେପି ସରକାର ଗଢିବାକୁ ସକ୍ଷମ ହେଲା ।
ସେହିଭଳି ଆଗାମୀ ଲୋକସଭା ନିର୍ବାଚନକୁ ନେଇ ପାୱାର କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ କଣ ହେବ ତାହା ଏବେଠାରୁ କହିହେବନି । କିନ୍ତୁ ମହାବିକାଶ ଅଘାଡି ଯଦି ଭାବୁଛି କି ଦେଶରେ ଆଗୁଆ ନିର୍ବାଚନ ହୋଇପାରେ ତେବେ ଏବେଠାରୁ ସିଟ୍ ଭାଗବଣ୍ଟା ବାବଦରେ ଆଲୋଚନା ହେବା ଉଚିତ୍ । ସେହିଭଳି ପାୱାର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ କିଛି ରାଜ୍ୟ ଗସ୍ତ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ବିରୋଧୀ କିଭଳି ଏକାଠି ହେବେ ସେ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନ ଜରିଆରେ ଦେଶରେ କିଭଳି ପରିବର୍ତ୍ତନ ଅଣାଯାଇପାରିବ ସେଥିପାଇଁ ଗୋଟିଏ ଭାବନା ରଖି ଆଗକୁ ବଢୁଛୁ । ଏଭଳି ପ୍ରୟାସକୁ ସମର୍ଥନ ଦେଇଛନ୍ତି ପାୱାର ।