୨୦୨୨ରେ ଶରଦ ପାୱାର ହୋଇପାରନ୍ତି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ! ଜାଣନ୍ତୁ କିଏ ଦେଲେ ଏଭଳି ବୟାନ?

3,469

ମହାରାଷ୍ଟ୍ର ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଏକ ବଡ ଖବରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯାହା ମହାରାଷ୍ଟ୍ର ରାଜନୀତିର ମୋଡ ବଦଳାଇଦେବ ବୋଲି କୁହାଯାଉଛି । ଆରଏସଏସ ବିଚାରଧାରାରେ ବିଶ୍ୱାସ ରଖୁଥିବା ଦିଲ୍ଲୀପ ଦେଓଧରଙ୍କ କହିବା ଅନୁଯାୟୀ, ୨୦୨୨ରେ ଭାରତର ରାଷ୍ଟ୍ରପତି ହୋଇପାରନ୍ତି ଏନସିପି ପ୍ରମୁଖ ଶରଦ ପାୱାର ।

ଦିଲ୍ଲୀପ ଦେଓଧର ମହାରାଷ୍ଟ୍ର ରାଜନୀତିକୁ ନେଇ ଭବିଷ୍ୟବାଣୀ କରିବା ସହ କହିଛନ୍ତି, ଶନିବାର ଦେବେନ୍ଦ୍ର ଫଡନବୀଶ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ନେବା ପଛରେ ଶରଦଙ୍କର ମୌନ ସହମତି ରହିଛି । ୨୦୨୨ରେ ବିଜେପି ଶରଦ ପାୱାରଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବଡ ଉପହାର ଦେଇପାରେ । ଏହାଛଡା ଝିଅ ସୁପ୍ରିୟା ସୁଲେଙ୍କୁ ମଧ୍ୟ ଖୁବଶୀଘ୍ର ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ।

ଏପରିକି ଏନସିପି ସହ ସରକାର ଗଠନକୁ ନେଇ ସଂଘ ପରିବାର ମଧ୍ୟ ଖୁସି ଅଛି । କାରଣ ଗତ କିଛି ଦିନ ହେବ ଶିବସେନା ଯେଉଁଭଳି ଆଚରଣ କରୁଛି ସେଥିରେ ସଂଘ ପରିବାର ଖୁସି ନାହିଁ । ତେଣୁ ଯଦି କୌଣସି ବାହାର ଦଳ ବିଜେପି ସହ ସାଥୀ ହୋଇ ଆଗକୁ ବଢିବାକୁ ଚାହୁଁଛି ତେଣୁ ତାଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ଦିଲ୍ଲୀପ ।

ଦିଲ୍ଲୀପ କହିଛନ୍ତି, ନିର୍ବାଚନ ଫଳାଫଳ ଆସିବା ପରେ ଶରଦ ପାୱାର ବିଜେପିକୁ ନେଇ ସେଭଳି କୌଣସି ଆକ୍ରମଣାତ୍ମକ ବୟାନ ଦେଇନାହାନ୍ତି । ତେଣୁ ବିହାରରେ ଯେଉଁଭଳି ସ୍ଥିତି ଉତ୍ପନ୍ନ ହେଲା ମହାରାଷ୍ଟ୍ରରେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳିପାରେ । ଏପରିକି ବଦଳରେ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରି ଯେଉଁ ଉପହାର ଦିଆଯାଇଥିଲା ଠିକ୍ ସେହିଭଳି ଶରଦ ପାୱାରଙ୍କ କ୍ଷେତ୍ରରେ ମଧ୍ୟ ହୋଇପାରେ । ଏହାଛଡା ଦିଲ୍ଲୀପ କହିଛନ୍ତି, ଶରଦ ପାୱାର ଜଶେ ଚତୁର ରାଜନେତା । ୨୦୧୪ରେ ମଧ୍ୟ ମହାରାଷ୍ଟ୍ରରେ ସମାନ ସ୍ଥିତି ଦେଖାଦେଇଥିଲା । କିନ୍ତୁ ସେତେବେଳେ ବିନା କୌଣସି ସର୍ତ୍ତରେ ବିଜେପିକୁ ସମର୍ଥନ ଦେବାକୁ କହି ୨୦୧୪ରେ ମହାରାଷ୍ଟ୍ରରେ ସରକାର ଗଢିବାକୁ ପ୍ରସ୍ତାବ ଦେଇଥିଲା । ଆଉ ଏନସିପିର ଏଭଳି ଆଭିମୁଖ୍ୟ ଦେଖି ନିଜ୍ ଜିଦରୁ ଓହରିଥିଲା ଶିବସେନା ଏବଂ ମହାରାଷ୍ଟ୍ରରେ ବିଜେପି ସରକାର ଗଢିଥିଲା । ତେଣୁ ୨୦୧୪ ଭଳି ୨୦୧୯ରେ ମଧ୍ୟ ଶରଦ ପାୱାର ନୂଆ ଷ୍ଟ୍ରାଟେଜି ସହ ରାଜନୀତି କରୁଥିବା କହିଛନ୍ତି ଦିଲ୍ଲୀପ ।