ରାଜ ଠାକରେଙ୍କୁ ଶରଦ ପାୱାର ଗୋଷ୍ଠୀ ନେତାଙ୍କ ପରାମର୍ଶ । ଟିକିଏ ଚିନ୍ତା କର, ବିଜେପିକୁ ଆବଶ୍ୟକ ବୋଲି ଗୁରୁତ୍ୱ ଦେଉଛି, ନହେଲେ… ।

319

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏମଏନଏସ ପ୍ରମୁଖ ରାଜ ଠାକରେ ଏନଡିଏରେ ସାମିଲ ହେବା ଚର୍ଚ୍ଚା ଭିତରେ ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ଏକ ବଡ ଅଫର ଦିଆଯାଇଛି । ଶରଦ ପାୱାର ଗୋଷ୍ଠୀର ନେତା ରୋହିତ ପାୱାର କହିଛନ୍ତି, ରାଜ ଠାକରେ ଜଣେ ବଡ ନେତା । ସେ ନିଶ୍ଚୟ ଚିନ୍ତା କରିବା ଦରକାର । ଏବେ ବିଜେପିକୁ ଆବଶ୍ୟକ ଅଛି ସେଥିପାଇଁ ଗୁରୁତ୍ୱ ଦେଉଛି । କିନ୍ତୁ ଯେତେବେଳେ ଆବଶ୍ୟକ ନଥିଲା ସେତେବେଳେ ଅନ୍ୟ କୌଣସି ଦଳକୁ ଆଦୌ ପଚାରୁନଥିଲା । ଏହାକୁ ଧ୍ୟାନରେ ରଖି ମହରାଷ୍ଟ୍ରର ସନ୍ତାନ ଭାବେ ଧର୍ମ ପାଳନ ସ୍ୱରୂପ ମହାବିକାଶ ଅଘାଡିରେ ସାମିଲ ହେବାକୁ ପ୍ରୟାସ କରିବା ଉଚିତ୍ ।

ରୋହିତ କହିଛନ୍ତି, ମହାରାଷ୍ଟ୍ର ହେଉଛି ସାଧୁସନ୍ଥଙ୍କ ଭୂମି । ଏଡି ଭୂମି ଅତି ଭଲ ଚରିତ୍ରର ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରେରିତ ହୋଇଥାଏ । ବିଜେପି ଜାଣିସାରିଛି ମହାରାଷ୍ଟ୍ରର ଲୋକ ତାଙ୍କ ସହ ନାହାନ୍ତି । ସେଥିପାଇଁ ସବୁ ଛୋଟ-ବଡ ଦଳକୁ ଏନଡିଏରେ ସାମିଲ କରି ଭୋଟ ବିଭାଜନ କରିବାକୁ ପ୍ରୟାସ କରୁଛି । ଯେଉଁ ଦଳକୁ ୨୦୧୯ରେ ବିଜେପି ଆଦୌ ଗୁରୁତ୍ୱ ଦେଉନଥିଲା ଏବେ ସେହି ଦଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି ।

ଏଭଳି ମେଣ୍ଟ ଚର୍ଚ୍ଚା ଭିତରେ ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ । ଅମିତ ଶାହାଙ୍କୁ ରାଜ ଠାକରେ ଭେଟି ଆଲୋଚନା କରିଥିବା ବେଳେ ଲୋକସଭା ନିର୍ବାଚନରେ ୨ଟି ଆସନରୁ ତାଙ୍କ ଦଳ ପ୍ରାର୍ଥୀ ଦେଇପାରେ ।