ବିପଦ ବେଳେ ସାମ୍ନାକୁ ଆସିଲେ ମହାରାଷ୍ଟ୍ର ସରକାରଙ୍କ ସଂକଟ ମୋଚକ ଶରଦ ପାୱାର । କହିଲେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ ।

ପଦରେ ରହିବା ନେଇ ନିଷ୍ପତ୍ତି କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

143

କନକ ବ୍ୟୁରୋ: ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ଏକ ଚିଠି ମହାରାଷ୍ଟ୍ର ସରକାରଙ୍କୁ ସାଂଘାତିକ ସଂକଟ ଭିତରକୁ ଠେଲି ଦେଇଛି । ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଗରେ ଏସୟୁଭି ଗାଡିରୁ ବିସ୍ଫୋରକ ମିଳିବା ଏବଂ ଏହି ମାମଲାରେ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସଂପୃକ୍ତି ପ୍ରଥମରୁ ଅଡୁଆ ସୃଷ୍ଟି କରିଥିଲା । ପୁଣି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠି ଏହି ଅଡୁଆକୁ ଆହୁରି ବଢାଇ ଦେଇଛି । କାରଣ ପରମବୀର ଚିଠିରେ ଲେଖିଛନ୍ତି ଯେ, ମୁମ୍ବାଇରେ ବିଭିନ୍ନ ବାର ଓ ହୋଟେଲରୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଟାର୍ଗେଟ ଦେଇଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ।

ଏପରିକି କେମିତି ବଟି ଆଦାୟ କରାଯିବ ତାର ବାଟ ବତାଇଥିଲେ । ମୁମ୍ବାଇରେ ମୋଟ୍ ୧ ହଜାର ୭୫୦ ବାର ଓ ରେଷ୍ଟୁରାଂଟ ରହିଛି । ଜଣଙ୍କଠାରୁ ୨ରୁ ୩ ଲକ୍ଷ ଆଦାୟ କଲେ ମାସକୁ ୫୦ରୁ ୬୦ କୋଟି ବଟି ଆସିଯିବ । ବଳକା ଟଙ୍କା ଅନ୍ୟ ବାଟରେ ଆଦାୟ କରିବାକୁ କହିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ । ଏଭଳି ସାଂଘାତିକ ଅଭିଯୋଗ ପରେ ମହାରାଷ୍ଟ୍ର ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଚାଲିଆସିଛି ।

ଏତିକିବେଳେ ସାମ୍ନାକୁ ଆସିଛନ୍ତି ସଂକଟମୋଚକ ଶରଦ ପାୱାର । କହିଛନ୍ତି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସାଂଘାତିକ । ହେଲେ ସେ ପରମବୀରଙ୍କ ଚିଠି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିରେ ପରମବୀରଙ୍କ ଦସ୍ତଖତ ନଥିବାରୁ ଏହାର ବୈଧତା ଉପରେ ସନ୍ଦେହ ରହିଥିବା କହିଛନ୍ତି । ତେବେ ଅନୀଲଙ୍କ ବିରୋଧରେ ମୁଖ୍ୟନ୍ତ୍ରୀ ଉଦ୍ଧବ ଠାକରେ ହିଁ ଯାହା ନିଷ୍ପତ୍ତି କରିବେ ବୋଲି କହିଛନ୍ତି ଶରଦ ପାୱାର ।