କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଛି ହାଇଡ୍ରାମା । ଏବେ ଅଜିତ ଓ ଶରଦ ପାୱାରଙ୍କ ଗୋଷ୍ଠୀ ନିଜ ନିଜ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏଥିପାଇଁ ଉଭୟ ଗୋଷ୍ଠୀ ଆଜି ଭିନ୍ନ ଭିନ୍ନ ବୈଠକ ଡାକିଛନ୍ତି । ଏଥିରେ ଏନସିପିର ସମସ୍ତ ବିଧାୟକ ଓ ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ତେଣୁ କାହା ବୈଠକରେ କିଏ ଉପସ୍ଥିତ ରହିବେ ତାହା ଉପରେ ନଜର ରହିଛି । ଏନସିପିରେ ବିଦ୍ରୋହର ଦିନକ ପରେ ଅଜିତଙ୍କ ପକ୍ଷରେ ଥିବା କିଛି ନେତା ଏବେ ଶରଦଙ୍କ ଆଡକୁ ଢଳିଛନ୍ତି ।

Advertisment

ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ଥିବା ଦଳର କେତେକ ନେତା ପାୱାରଙ୍କ କ୍ୟାମ୍ପକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ ମକରନ୍ଦ ପାଟିଲ ଓ ବିଧାୟକ ବାଲାସାହେବ ପାଟିଲ । ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି, ଅଜିତ ଓ ତାଙ୍କ ସହ ଶପଥ ନେଇଥିବା ଅନ୍ୟ ୮ ଜଣଙ୍କୁ ଛାଡିଦେଲେ ଅନ୍ୟମାନେ ଶରଦ ପାୱାରଙ୍କ ସହ ଅଛନ୍ତି । ଯଦି ସତରେ ଏହା ହୁଏ, ତେବେ ଅଜିତ ପାୱାରଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବ । ଅଜିତ ପାୱାର ରାଜ୍ୟପାଳଙ୍କୁ ଚିଠି ଲେଖି ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିବା କୁହାଯାଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅଜିତ ଓ ଶରଦ ପାୱାର କେହି ନିଜ ସମର୍ଥନରେ ଥିବା ବିଧାୟକଙ୍କୁ ସାମ୍ନାକୁ ଆଣି ନାହାନ୍ତି ।