କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ନାଗପୁର ଠାରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ସେ ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇ କହିଥିଲେ କି ତାଙ୍କ ଗିରଫର ପ୍ରତିଦିନ ଓ ପ୍ରତି ଘଂଟାର ମୂଲ୍ୟ ଆଦାୟ କରାଯିବ । ଏହାସହ ଉକ୍ତ ସଭାରେ ପାୱାର କେନ୍ଦ୍ରୀୟ ଯାଂଚ ଏଜେନ୍ସିର ପକ୍ଷପାତିତା ନେଇ ବି ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ଆମେ ମହାରାଷ୍ଟ୍ରର ବିକାଶକୁ ଆଗକୁ ନେବାକୁ ଚାହୁଁଥିବା ବେଳେ କିଛି ଲୋକ ଏହାକୁ ବରଦାସ୍ତ କରିପାରୁ ନାହାଁନ୍ତି । ହାତରୁ କ୍ଷମତା ଚାଲିଗଲା ପରେ କିଛି ଲୋକ ଅସ୍ତବ୍ୟସ୍ତ ହୋଇ ଦିଲ୍ଲୀର ସହାୟତାରେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଏନସିପି, କଂଗ୍ରେସ ଓ ଶିବସେନାର ନେତାମାନଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସି ଲଗାଇ ହଇରାଣ କରାଯାଉଛି ।

Advertisment

ଅନ୍ୟପଟେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଟାର୍ଗେଟ କରି ପାୱାର କହିଛନ୍ତି ଯେ ରାଜ୍ୟ ସରକାର ତାଙ୍କୁ ପଳାତକ ଘୋଷିତ କରିଛନ୍ତି ସତ ହେଲେ ଜଣେ ପୋଲିସ କମିଶନର ଏଭଳି ଗାଏବ ହୋଇଯିବାଟା ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ ।

ଅନ୍ୟପଟେ କେନ୍ଦ୍ରୀୟ ଏଜେନ୍ସିକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଥିବା ନେଇ ପାୱାର କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସି ଯେତେ ଚଢାଉ କରିବାର ଅଛି କରୁ, ଯେତେ ଲୋକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରିବାର ଆଦେଶ ଅଛି ସେମାନଙ୍କୁ ଗିରଫ କରୁ ହେଲେ ଏହାର ଜବାବ ଭୋଟରମାନେ ଭୋଟବେଳେ ଦେବେ ଓ ଏଭଳି ଷଡଯନ୍ତ୍ର କରୁଥିବା ଦଳକୁ ନିଶ୍ଚିନ୍ତ ପରାଜୟକୁ ସାମ୍ନା କରିବାକୁ ପଡିବ ।