କନକ ବ୍ୟୁରୋ : ମହାରାଷ୍ଟ୍ରରେ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାର ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅଜିତ ପାୱାର କହିଛନ୍ତି,ବିଜେପି ସହ କଥା ହେବାକୁ ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲ ଏବଂ ମୋତେ ଶରଦ ପାୱାର ହିଁ କହିଥିଲେ । ଉକ୍ତ ଚିଠି ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପ୍ରସ୍ତୁତ ଅଛି ।

ଅଜିତ କହିଛନ୍ତି, ଏହା ପାୱାର ବନାମ ପାୱାର ଲଢେଇ ନୁହେଁ । ବରଂ ମୋଦୀ ବନାମ ରାହୁଲ ଲଢେଇ । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏଥିପାଇଁ ଆମେ ଭୋଟ ମାଗୁଛୁ । କିନ୍ତୁ ମିଡ଼ିଆ ଆମ ପରିବାରର ଲଢେଇକୁ ଦେଖାଉଛି । ବାସ୍ତବରେ ସେମିତି କିଛି ମଧ୍ୟ ନାହିଁ । ଇଡି ଦ୍ୱାରା ଭୟଭୀତ କରି ମୋତେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରାଗଲା ବୋଲି ଯେଉଁ ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ମିଛ । ଏବେ ବି ବିଭିନ୍ନ ପ୍ରସଙ୍ଗର ଯାଞ୍ଚ ଚାଲିଛି । ମୋଦୀଙ୍କ ଭିଜନ ପାଇଁ ବିଜେପି ସହ ଆସିବାକୁ ଆମେ ମନସ୍ଥ କରିଥିଲୁ । ବିଜେପି ଏନସିପିକୁ ଶେଷ କରିବାକୁ ଚାହୁଁଥିବା ଅଭିଯୋଗ ମିଛ । ୪୦୦ରୁ ଅଧିକ ଆସନ ହେବ କି ନାହିଁ ତାହା ଜଣାନାହିଁ କିନ୍ତୁ ଏନେଇ ପ୍ରୟାସ ଜାରି ରହିଛି । ମୋଦୀ ବିଭିନ୍ନ ସ୍ଥାନରେ ରାଲି ଓ ଶୋଭାଯାତ୍ରା କରୁଛନ୍ତି । ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଯଦି ମୋତେ ଭଲ ଆସନ ମିଳେ ଏବଂ ମହାରାଷ୍ଟ୍ରର ଲୋକ ସମର୍ଥନ କରନ୍ତି ତେବେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବି । ଆମେ ଯେଉଁ ନିଷ୍ପତ୍ତି ନେଇଛୁ ତାହା ଯଦି ଶରଦ ପାୱାରଙ୍କୁ ଠିକ୍ ଲାଗେ ତେବେ ସେଥିରେ ଆସିବାରେ କୌଣସି ସମସ୍ୟା ନାହିଁ ।