ଆସନ୍ତା ସପ୍ତାହରେ ପୂରା ଦେଶରେ ଲାଗୁ ହେବ ସିଏଏ । ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ ।

206

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦେଶର ଲାଗୁ ହେବ ସିଏଏ । କିଛି ଏଭଳି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ପଶ୍ଚିମବଙ୍ଗର ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଶାନ୍ତନୁ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପୂରା ଭାରତରେ ସିଏଏ ଲାଗୁ ହେବ ।

ପୂର୍ବରୁ ସିଏଏକୁ ସଂସଦରେ ଅନୁମୋଦନ ମିଳି ସାରିଛି । ଶାନ୍ତନୁ କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାରମ୍ବାର କହି ଆସିଛନ୍ତି, ଯଦି ଆପଣଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ ଅଛି ତେବେ ଆପଣ ଭାରତର ନାଗରିକ । ଆପଣ ମତଦାନ କରିପାରିବେ, କିନ୍ତୁ ଏବେ ବି ହଜାର ହଜାର ଲୋକ ଏଥିରୁ ବଞ୍ଚିତ ହୋଇ ଅଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି କହୁଛନ୍ତି, ଯେଉଁମାନେ ଭାରତକୁ ଆସି ସାରିଛନ୍ତି ସେମାନେ ନାଗରିକ ବୋଲି । ଏଭଳି କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି ।

ଏହାପୂର୍ବରୁ ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ସିଏଏ ଲାଗୁ କରିବାକୁ କେହି ଅଟକାଇ ପାରିବେନି । କାରଣ ଏହା ଦେଶର ଆଇନ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଏଏକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ସିଏଏର ଉଦ୍ଦେଶ୍ୟ ହେଉଛି ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ସମେତ ୩ ପଡୋଶୀ ଦେଶର ୬ ସମୁଦାୟର ଲୋକଙ୍କୁ ଫାଷ୍ଟଟ୍ରାକ ଯୋଗେ ନାଗରିକତା ପ୍ରଦାନ କରିବା । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀ, ଗୋ-ଚାଲାଣର ଅନ୍ତ ହେବ ଏବଂ ସିଏଏ ମାଧ୍ୟମରେ ଧାର୍ମିକ ଆଧାରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରାଯିବ । ସିଏଏ ଲାଗୁ କରିବା ବିଜେପିର ପ୍ରତିବଦ୍ଧତା ।