କେବଳ ଭୋକ ପାଇଁ…ଭୋକ ଟାଣିଆଣିଲା ରାସ୍ତାକଡକୁ… କଟକଣାର ଦଉଡି ଫିଟାଇ ପେଟ ପାଇଁ ନାଟ କଲେ ବୃଦ୍ଧା । ୮୫ ବର୍ଷର ବୁଢୀ ମାଆଙ୍କ ଲାଠି ଚାଳନା ଦେଖି ତାଜୁବ ହେଲା ଦେଶ । ଭୋକ ପାଇଁ ଭିକ ନମାଗି କଳା ଦେଖାଇଥିବାରୁ ବୁଢୀ ମାଉସୀଙ୍କୁ କଥା ଦେଲେ ସୋନୁ ସୁଦ୍ । କହିଲେ ମାଉସୀ ! ତମକୁ ନେଇ ମୁଁ ଖୋଲିବି ଆତ୍ମରକ୍ଷାର ଟ୍ରେନିଂ ସେଣ୍ଟର…

1,579

କନକ ବ୍ୟୁରୋ: ରାସ୍ତାକଡକୁ ଟାଣି ଆଣିଲା ଭୋକ । ପେଟ ପାଇଁ ନାଟ କଲେ ବୃଦ୍ଧା । ଟୁଇଟ କରି ସୋନୁ ଖୋଜିଲେ ଠିକଣା । ମୁଣ୍ଡ ଉପରେ ଠୋ ଠୋ ଖରା । ଚାରିଆଡେ ଦୋକାନ ବଜାର ବନ୍ଦ । ଆଉ ରାସ୍ତାରେ ଚାଲୁଛି କାଁ ଭାଁ ଗାଡିମଟର । କରୋନା ପାଇଁ ବୟସ୍କ ଲୋକଙ୍କୁ ଘରେ ରହିବାକୁ କୁହାଯାଉଥିବା ବେଳେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଏ ବୃଦ୍ଧା ଜଣଙ୍କ । ପେଟ ପାଇଁ ଦାନା ଯୋଗାଡ କରିବାକୁ ଫୁଟପାଥକୁ ଆସିଛନ୍ତି ୭୫ ବର୍ଷର ଏ ବୁଢୀମା ଜଣଙ୍କ । ଯେତେବେଳେ ଭୋକର ନିଆଁରେ ପେଟ ପୋଡିବାକୁ ଲାଗିଲା ସେତେବେଳେ ସବୁ କଟକଣାର ଦଉଡି ଛିଡାଇ ଧାଇଁଲେ ଅସହାୟ ବୃଦ୍ଧା ।

ପୁଣେର ଆଜି ମାଆ ନାଁରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବୃଦ୍ଧା ଭୋକ ଜ୍ୱାଳା ଆଗରେ ନିଜ ବାର୍ଦ୍ଧକ୍ୟ, ଶରୀରର ଥକାପଣକୁ ଆହୁତି ଦେଇଛନ୍ତି । ଆଉ ପେଟ ଚାଖଣ୍ଡେ ପାଇଁ ନାଟ କରୁଛନ୍ତି । ବୃଦ୍ଧା ଜଣଙ୍କ ଚାହିଁଥିଲେ ଭୋକ ଆଗରେ ଆତ୍ମସମର୍ପଣ କରି ଭିକ ମାଗିପାରିଥାନ୍ତେ । ହେଲେ ତାହା ନକରି ରାସ୍ତାକଡରେ କଳାକୌଶଳ ଦେଖାଇ ଟଙ୍କା ମାଗୁଛନ୍ତି । ଭଲରେ ଦେଖନ୍ତୁ କେମିତି ବୁଢିମା ହାତଯୋଡି ପେଟରେ ହାତ ବୁଲାଇ କରୁଣ ଚାହାଣୀରେ ଖାଇବା ମାଗୁଛନ୍ତି । ସତରେ ଏ ଦୃଶ୍ୟ ଯିଏ ବି ଦେଖିବ ତା ଆଖିରେ ଲୁହ ଜକେଇ ଆସିବ ।

ସେପଟେ ସମୟ ଆଗରେ ହାରି ନଯାଇ ସଂଘର୍ଷ କରୁଥିବା ବୁଢି ମାଆଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଠିକଣା ଖୋଜିଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଟୁଇଟ୍ କରି ବୁଢିମା ବାବଦରେ ଜାଣିବାକୁ ଚାହିଁଛନ୍ତି ସୋନୁ । ଆଉ ଭୋକ ପାଇଁ ନିଜ ଭିତରର କଳାକୌଶଳ ଦେଖାଇଥିବା ବୃଦ୍ଧାଙ୍କୁ ନେଇ ମଧ୍ୟ ଏକ ସୁନ୍ଦର ସ୍ୱପ୍ନ ଦେଇଛନ୍ତି । ନିଜ ଟୁଇଟରରେ ସୋନୁ ସୁଦ ଲେଖିଛନ୍ତି ବୁଢିମାଆଙ୍କୁ ନେଇ ମୁଁ ଗୋଟେ ସ୍କୁଲ ଖୋଲିବାକୁ ଯାଉଛି । ଯେଉଁଠି ଏ ସେ ମହିଳାମାନଙ୍କୁ ଆତ୍ମରକ୍ଷାର ପାଠ ପଢାଇବେ । ପ୍ରଶିକ୍ଷଣ ଶିବିରରେ ବୁଢିମାଆଙ୍କ ଠାରୁ ମହିଳାମାନେ କଳାକୌଶଳ ଶିଖି ନିଜକୁ ସୁରକ୍ଷା ଦେଇପାରିବେ ।

ତେବେ ଭୋକ ପାଇଁ ରାସ୍ତାକଡରେ ବସିଥିବା ଏ ବୃଦ୍ଧା ଜଣଙ୍କ ୩ଟି ହିନ୍ଦୀ ସିନେମାରେ ମଧ୍ୟ କାମ କରିଥିବା କୁହାଯାଉଛି । ଏଥିସହ ନିଜ ଅଭିନୟ ପାଇଁ ବିଭିନ୍ନ ସ୍ଥାନରୁ ସେ ଅନେକ ସମ୍ମାନ ମଧ୍ୟ ପାଇଥିବା କୁହାଯାଉଛି । କରୋନା ପାଇଁ ସମସ୍ତେ କାମଧନ୍ଦା ହରାଉଥିବାରୁ ବଞ୍ଚିବା ପାଇଁ ବିଭିନ୍ନ ବାଟ ଆପଣାଇବାକୁ ବାଧ୍ୟ ହେଉଛନ୍ତି । କିଏ ଘର ଚଳାଇବାକୁ ରଙ୍ଗମଞ୍ଚରୁ ରାସ୍ତାକଡକୁ ଆସିଛି ତ କିଏ ବଡ ପରଦାରୁ ପରିବାବିକାଳୀ ବନିଛି । ପେଟ ପୋଷିବାକୁ ରିଙ୍କିଙ୍କ ଭଳି ଅଭିନେତ୍ରୀ ଫଳ ବେପାର କରୁଛନ୍ତି ତ କାର୍ତ୍ତିଙ୍କ ଭଳି ଅଭିନେତା ବଲିଉଡରୁ ପରିବାର ବିକାଳି ବନିଛନ୍ତି । ଆଉ ଏ ବୁଢିମା ବି ଦିନେ ଅଭିନେତ୍ରୀ ଥିଲେ ହେଲେ ଆଜି ଭୋକ ପାଇଁ ହାତ ପାତୁଛନ୍ତି ।