ଇଣ୍ଡିଆନ, ଅପରିଚିତ, ରୋବଟ ଏହି ଫିଲ୍ମ ଗୁଡ଼ିକର ନାଁ ସମସ୍ତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ମଧ୍ୟରେ ବେଶ ପରିଚିତ । ଏଗୁଡ଼ିକ ସବୁ ସାଉଥର ସୁପରଡୁପର ହିଟ ଫିଲ୍ମ । ଯାହାର ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର । ଶଙ୍କର ହେଉଛନ୍ତି ଭାରତର ଦ୍ଵିତୀୟ ସର୍ବାଧିକ ପାରିଶ୍ରମିକ ନେଉଥିବା ଡ଼ାଇରେକ୍ଟର । ତାଙ୍କର ଗୋଟେ ଫିଲ୍ମର ଫିସ୍ ହେଉଛି ୪୦ କୋଟି ଟଙ୍କା । ଶଙ୍କର ଭାରତର ଆଙ୍ଗୁଠି ଗଣତି କେଇଜଣ ଡ଼ାଇରେକ୍ଟରଙ୍କ ମଧ୍ୟରେ ଅଛନ୍ତି ଯେଉଁମାନକର ସଫଳତାର ହାର ହେଉଛି ୧୦୦% । ଗତ ୩୦ ବର୍ଷ ମଧ୍ୟରେ ସେ ୧୩ଟି ଫିଲ୍ମ ତିଆରି କରିଛନ୍ତି ଏବଂ ସବୁଗୁଡ଼ିକ ସୁପରହିଟ୍ । ଆଜି ହେଉଛି ଶଙ୍କରଙ୍କର ୬୦ତମ ଜନ୍ମଦିନ ।
ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।
ଶଙ୍କର ମେକାନିକାଲ ଇଂଜିନିୟରିଂରେ ଡିପ୍ଲୋମା କରିବାପରେ ଏକ ଟାଇପରାଇଟିଙ୍ଗ କମ୍ପାନୀରେ କାମ କରୁଥିଲେ । ମୂଳରୁ ତାଙ୍କର ଫିଲ୍ମରେ ହିରୋ ହେବାର ଅଭିଳାଷ ଥିଲା । କିଛି ଫିଲ୍ମରେ କାମ ମଧ୍ୟ କରିଛନ୍ତି । କିନ୍ତୁ କିଛିଦିନ ଅଭିନୟ କଲାପରେ ଅନୁଭବ କଲେ ଯେ ସେ ହିରୋ ହେଇପାରିବେ ନାହିଁ । ତାପରେ ସିଏ ଡ଼ାଇରେକ୍ଟର ହେବାକୁ ମନ ବଳାଇଲେ । ୧୯୯୩ରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଜେଣ୍ଟଲମ୍ୟାନ’ ପରଦାକୁ ଆସିଥିଲା । ତାପରଠୁ ସିଏ ଆଉ ପଛକୁ ଫେରି ଚାହିଁନାହାନ୍ତି ।
ଦକ୍ଷିଣ ଭାରତୀୟ ଫିଲ୍ମ ଛଡା ଶଙ୍କର ଏକ ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଅନିଲ କାପୁର ଅଭିନୀତ ସୁପରହିଟ ଫିଲ୍ମ ‘ନାୟକ’ ଏକ ଦକ୍ଷିଣ ଭାରତୀୟ ଫିଲ୍ମର ରିମେକ ଥିଲା । ଏହି ଫିଲ୍ମ କଲାବେଳେ ଶଙ୍କର ଚାହୁଁଥିଲେ କି ଅନିଲ କାପୁର ତାଙ୍କ ଛାତିରେ ଥିବା ବାଳ ଗୁଡିକ ସଫା କରିଦିଆନ୍ତୁ କିନ୍ତୁ ଅନିଲ କାପୁର ରାଜି ହେଲେନାହିଁ । ଶଙ୍କର ସେହି ଦୃଶ୍ୟକୁ ଏପରି ବଦଳାଇ ଦେଇଥିଲେ ଯେ ଅନିଲ କାପୁରଙ୍କୁ ଆଉ ଛାତି ବାଳ କାଟିବାକୁ ପଡ଼ିଲାନାହିଁ ଏବଂ ସେ ସିନ୍ ଟି ପୂର୍ବ ଅପେକ୍ଷା ଅଧିକ ଭଲ ହେଇଥିଲା ।
ଟାଇପରାଇଟିଙ୍ଗ କମ୍ପାନୀରେ କାମ କରୁଥିଲେ ।
ଶଙ୍କରଙ୍କର ଜନ୍ମ ୧୭ ଅଗଷ୍ଟ ୧୯୬୩ରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାର କୁମ୍ଭକୋଣମ ସ୍ଥାନରେ ହେଇଥିଲା । ତାଙ୍କର ପୁରାନାମ ଶଙ୍କର ସନମୁଗନ । ସେ ତାଞ୍ଜାବୁରର ସେଣ୍ଟ୍ରାଲ ପଲିଟେକ୍ନିକ କଲେଜରୁ ମେକାନିକାଲ ଇଂଜିନିୟରିଂରେ ଡିପ୍ଲୋମା କରିଛନ୍ତି । ପାଠପଢା ପରେ ସେ ଏକ ଟାଇପରାଇଟିଙ୍ଗ କମ୍ପାନୀରେ କିଛିଦିନ କାମ ମଧ୍ୟ କରିଥିଲେ । ଫିଲ୍ମରେ ଅଭିନୟ କରିବାର ନିଶା ତାଙ୍କର ପିଲାବେଳୁ ଥିଲା । ସିଏ ହିରୋ ହେବାକୁ ଚାହୁଁଥିଲେ ।
ତାଙ୍କର ଗୋଟେ ଷ୍ଟେଜ ସୋ ଯୋଗାଡ଼ କରୁଥିବା କମ୍ପାନୀ ଥିଲା । ଥରେ ତାଙ୍କର ଗୋଟେ ଷ୍ଟେଜ ସୋ କୁ ସାଉଥର ପ୍ରସିଦ୍ଧ ଫିଲ୍ମନିର୍ମାତା ଏସ.ଏ. ଚନ୍ଦ୍ରଶେଖର ଆସିଥିଲେ । ଶଙ୍କରଙ୍କ କାମ ତାଙ୍କର ଖୁବ ପସନ୍ଦ ହେଇଥିଲା । ତାପରେ ସେ ଶଙ୍କରଙ୍କୁ ସ୍କ୍ରିପ୍ଟରାଇଟର ଭାବେ କାମ କରିବାର ସୁଯୋଗ ଦେଇଥିଲେ ।
ଚନ୍ଦ୍ରଶେଖରଙ୍କର ଏହି ଅଫର ତାଙ୍କୁ ଦ୍ଵିବିଧାରେ ପକାଇ ଦେଇଥିଲା କାରଣ ସେ ମୂଳରୁ ହିରୋ ହେବାକୁ ଚାହୁଁଥିଲେ । ବହୁତ ଚିନ୍ତା କରିବାପରେ ସେ ଚନ୍ଦ୍ରଶେଖରଙ୍କ ସହ କାମ କରିବାକୁ ରାଜି ହେଇଯାଇଥିଲେ । କିଛି ଫିଲ୍ମରେ ସ୍କ୍ରିପ୍ଟରାଇଟର ଭାବେ କାମ କଲାପରେ ତାଙ୍କ କାମରେ ଖୁସିହେଇ ଚନ୍ଦ୍ରଶେଖର ତାଙ୍କୁ ‘ଜୟ ଶିବ ଶଙ୍କର’ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବେ କାମ କରିବାକୁ ସୁଯୋଗ ଦେଇଥିଲେ ।
ବିଗ ବଜେଟ ଓ ସାଇନ୍ସ ଫିକ୍ସନ ଫିଲ୍ମ ପାଇଁ ପ୍ରସିଦ୍ଧ ଶଙ୍କରଙ୍କୁ ଭାରତର ଷ୍ଟିଭେନ ସ୍ପଲିବର୍ଗ ମଧ୍ୟ କୁହାଯାଏ ।
ପ୍ରଥମ ଫିଲ୍ମରେ ହିଁ ପୁରସ୍କାର ପାଇଥିଲେ ।
୧୯୯୩ରେ ଫିଲ୍ମ ଜେଣ୍ଟଲମ୍ୟାନ ଜରିଆରେ ନିଜର ନିର୍ଦ୍ଦେଶନା କ୍ୟାରିର ଆରମ୍ଭ କରିଥିବା ଶଙ୍କର ପ୍ରଥମ ଫିଲ୍ମରେ ହିଁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ରୂପେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । ଏହାବାଦ ସେ ତାମିଲନାଡୁ ରାଜ୍ୟ ଫିଲ୍ମ ଆୱାର୍ଡ ମଧ୍ୟ ପାଇଥିଲେ ।
ଏହାପରେ ତାଙ୍କ ନିର୍ଦ୍ଦେଶିତ ଦୁଇଟି ଫିଲ୍ମ ‘ଇଣ୍ଡିଆନ’(୧୯୯୬) ଏବଂ ମୁଧାଲବନ(୧୯୯୮)କୁ ମଧ୍ୟ ଖୁବ ସଫଳ ଫିଲ୍ମ ରୂପେ ଗଣାଯାଏ ।
ଏହି ଦୁଇଟି ଫିଲ୍ମକୁ ଭାରତ ତରଫରୁ ବିଦେଶୀ ଭାଷା ଶ୍ରେଣୀ ଫିଲ୍ମ ପାଇଁ ଓସ୍କାରକୁ ମଧ୍ୟ ପଠାଯାଇଥିଲା । କିନ୍ତୁ ନୋମିନେସନ ହୋଇପାରିଲା ନାହିଁ ।
ଶଙ୍କର ନିର୍ଦ୍ଦେଶନା ସହ କିଛି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ଅଭିନୟ କ୍ଷେତ୍ରରେ ତାଙ୍କୁ ସେମିତି ବିଶେଷ ସଫଳତା ମିଳିନଥିଲା । ‘ବସନ୍ତ ରାଗମ’ ଓ ‘ସିତା’ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ଏହାଛଡ଼ା ‘ଇଣ୍ଡିଆନ’, ‘ଶିବାଜୀ ଦି ବସ’ ଓ ‘ନାନବନ’ ଫିଲ୍ମରେ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି ।
୨୦୦୭ରେ ୧୦କୋଟି ଟଙ୍କା ପାରିଶ୍ରମିକ
୨୦୦୫ରେ ଶଙ୍କର ‘ଅନ୍ନିୟନ’(ଅପରିଚିତ) ନାମକ ଏକ ସାଇକୋଲୋଜିକାଲ ଥ୍ରୀଲର୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଯେଉଁଥିରେ ସାଉଥ ସୁପରଷ୍ଟାର ବିକ୍ରମ ତିନି ତିନିଟି ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଖୁବ ଭଲ ବ୍ୟବସାୟ କରିଥିଲା । ‘ଅନ୍ନିୟନ’ ପରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ‘ଶିବାଜୀ ଦି ବସ’ ଫିଲ୍ମ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଫିଲ୍ମଟି ସେ ସମୟର ସବୁଠୁ ବଡ଼ ବଜେଟ ଫିଲ୍ମ ଥିଲା । ଏହାର ନିର୍ମାଣରେ ପ୍ରାୟ ୬୦କୋଟି ଟଙ୍କା ଖର୍ଚ୍ଚ ହେଇଥିଲା ।
ଏହି ଫିଲ୍ମ ପାଇଁ ସେ ୧୦ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ । ଲିଡ୍ ରୋଲ କରିଥିବା ରଜନୀକାନ୍ତ ୨୬ କୋଟି ଟଙ୍କା ନେଇଥିଲେ । ଏହି ଫିଲ୍ମ ସେହିବର୍ଷର ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ଥିଲା । ‘ଶିବାଜୀ ଦି ବସ’ ମୋଟ ୧୨୮ କୋଟି ଟଙ୍କାର ବ୍ୟବସାୟ କରିଥିଲା ।
ଏହାପରେ ୨୦୧୦ରେ ରାଜନିକାନ୍ତଙ୍କୁ ନେଇ ଆଉ ଏକ ଫିଲ୍ମ ‘ଏଂଥିରନ୍’(ରୋବଟ)ର ନିର୍ଦ୍ଦେଶନା ଦେଇଥିଲେ । ଏହାମଧ୍ୟ ତାମିଲ ସିନେମାର ସର୍ବାଧିକ ଆୟ କରିଥିବା ଫିଲ୍ମ ରୂପେ ଗଣା ଯାଇଥିଲା । ୨୦୧୮ ରେ ଏହାର ଦ୍ଵିତୀୟ ଭାଗ ‘ଏଂଥିରନ୍-୨’ ରିଲିଜ ହେଇଥିଲା । ଏହାକୁ ଭାରତର ସପ୍ତମ ସର୍ବାଧିକ ଆୟ କରିଥିବା ଫିଲ୍ମ ରୂପେ ଗଣାଯାଏ । ପୃଥିବୀର ସର୍ବାଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ଏହି ଫିଲ୍ମ ୯୦ ତମ ସ୍ଥାନରେ ଥିଲା ।
ଭାରତୀୟ ଚଳଚ୍ଚିତ୍ରର ‘ଟ୍ରେଣ୍ଡସେଟର’ ଶଙ୍କର
ନିଜ ଫିଲ୍ମରେ କିଛି ନୂଆ କରି ଦେଖେଇବା ପାଇଁ ଶଙ୍କର ଖୁବ ପ୍ରସିଦ୍ଧ । ତାଙ୍କର ପ୍ରାୟ ସବୁ ଫିଲ୍ମରେ ସେ କିଛି ନା କିଛି ନୂଆ କରି ଦେଖେଇଥାନ୍ତି । ୧୯୯୮ରେ ତାଙ୍କ ଫିଲ୍ମ ଜିନ୍ସ ର ସୁଟିଂର ବହୁଭାଗ ସେ ବିଦେଶରେ କରିଥିଲେ । ଫିଲ୍ମର ବଜେଟ ମାତ୍ର ୨୦ କୋଟି ଟଙ୍କା ଥିଲା । ଏହାର ଗୋଟେ ଗୀତ ଅଜୁବାର ଡ୍ରିମ ସିକ୍ୱେନ୍ସରେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ଦେଖାଯାଇଥିଲା । ଏହି ସିନ୍ ପାଇଁ ଶଙ୍କର ଖୁବ ପ୍ରଶଂସା ପାଇଥିଲେ । ଏହା ଐଶ୍ବର୍ଯ୍ୟା ବଚ୍ଚନଙ୍କର ଦ୍ଵିତୀୟ ଫିଲ୍ମ ଥିଲା ।
ଏହି ନୂଆ କରିବାର ଶ୍ରେଣୀରେ ତାଙ୍କର ଦ୍ଵିତୀୟ ଫିଲ୍ମ ହେଲା ‘ନାୟକ’ । ୧୯୯୯ ରେ ଅନିଲ କାପୁରଙ୍କୁ ନେଇ ନିର୍ମିତ ହେଇଥିବା ଏହି ଫିଲ୍ମ ତାମିଲ ଫିଲ୍ମ ‘ମୁଧାଲବନ’ର ରିମେକ ଥିଲା । ଏହି ଫିଲ୍ମରେ ଏକ 3D ଫାଇଟିଙ୍ଗ ସିନ୍ ପାଇଁ ଅନିଲ କାପୁରଙ୍କୁ 7 ମାସ ଟ୍ରେନିଂ ନେବାକୁ ପଡିଥିଲା । ସେହି ସିନ୍ ପାଇଁ ଅନିଲ କାପୁର ତାଙ୍କ ଛାତି ବାଳ କାଟିବାକୁ ମନା କରିଦେଇଥିଲେ । ବିନା ସାର୍ଟରେ ଅଭିନୟ କରିବାକୁ ମନା କରିଦେଇଥିଲେ । କିନ୍ତୁ ଶଙ୍କର ଚତୁରତାର ସହ ସିନ୍ କୁ ଏମିତି କରିଦେଲେ ଯେଉଥିପାଇଁ ନା ଅନିଲ କାପୁରଙ୍କୁ ସାର୍ଟ ଖୋଲିବାକୁ ପଡିଲା ନା ସିନ୍ ବଦଳେଇବାକୁ ପଡିଲା । ସେହି ଦୃଶ୍ୟରେ ସେ ଅନିଲ କାପୁରଙ୍କୁ ପୁରା କାଦୁଅ ଲତପତ ହୋଇ ଫାଇଟିଙ୍ଗ କରୁଥିବାର ଦେଖେଇଥିଲେ । ଏହି ସିନ୍ ପାଇଁ ସେ କମ୍ପୁଟର ଗ୍ରାଫିକ୍ସର ବ୍ୟବହାର କରିଥିଲେ । ଭାରତୀୟ ଚଚ୍ଚିତ୍ରରେ ଫାଇଟ ସିନ୍ ପାଇଁ ଗ୍ରାଫିକ୍ସର ବ୍ୟବହାର ପ୍ରଥମ ଥିଲା । ଏହି ସିନ୍ ପାଇଁ ୩୬ ଟି କ୍ୟାମେରା ବ୍ୟବହାର କରାଯାଇଥିଲା ।
ଶଙ୍କର ୨୦୧୨ ରେ ହିନ୍ଦୀ ଫିଲ୍ମ ‘ଥ୍ରୀ ଇଡ଼ିଅଟ୍ସ’ର ତାମିଲ ରିମେକ କରିଥିଲେ । ଯାହାର ନାଁ ନାନବନ ଥିଲା । ଏହା ବିଶ୍ବସ୍ଥରରେ ୧୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ।
ଏ ଆର ରହମାନଙ୍କ ସହ ନିବିଡ଼ ବନ୍ଧୁତା
ଶଙ୍କର ଏବଂ ଏ ଆର ରହମାନ ଏକାସମୟରେ ନିଜର କ୍ୟାରିର ଆରମ୍ଭ କରିଥିଲେ । ଶଙ୍କରଙ୍କର ପ୍ରାୟ ୧୨ ଟି ଫିଲ୍ମରେ ଏ ଆର ରହମାନ ସଙ୍ଗୀତ ଦେଇଛନ୍ତି । ୧୯୯୩ରେ ଏ ଆର ରହମାନ ପ୍ରଥମେ ଶଙ୍କରଙ୍କ ଫିଲ୍ମ ଜେଣ୍ଟଲମ୍ୟାନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ଫିଲ୍ମ ପାଇଁ ତାମିଲନାଡୁର ବେଷ୍ଟ ମ୍ୟୁଜିକ ଡ଼ାଇରେକ୍ଟର ଆୱାର୍ଡ ମଧ୍ୟ ପାଇଥିଲେ ।
୧୫୦ କୋଟି ଟଙ୍କାର ମାଲିକ
ମିଡ଼ିଆ ରିପୋର୍ଟ ଅନୁସାରେ ଶଙ୍କରଙ୍କର ସମ୍ପତିର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା । ମାସକୁ ତାଙ୍କର ରୋଜଗାର ପ୍ରାୟ ୧.୫ କୋଟି ଟଙ୍କା । ତାଙ୍କ ପାଖରେ ନାଭି ମୁମ୍ବାଇରେ ବହୁମୂଲ୍ୟ ଘର ଅଛି ଯାହାକୁ ସିଏ ୨୦୧୩ରେ ୬ କୋଟି ଟଙ୍କା ଦେଇ କିଣିଥିଲେ । ଏହାବାଦ ତାଙ୍କର ବହୁ ସ୍ଥାନରେ ଘର ମଧ୍ୟ ଅଛି । ଶଙ୍କର କାର ଶୌକିନ ଭାବେ ମଧ୍ୟ ଜଣାଶୁଣା । ତାଙ୍କ ପାଖରେ ଏକକୁ ବଳି ଏକ ଦାମିକା କାର ଅଛି । ‘ରୋଲ୍ସ ରଏସ ଘୋଷ୍ଟ’ ତାଙ୍କ ପାଖେ ଅଛି ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ ।
ତିନି ସନ୍ତାନର ପିତା ଶଙ୍କର
ଶଙ୍କରଙ୍କ ଧର୍ମପତ୍ନୀଙ୍କ ନାଁ ହେଉଛି ଈଶ୍ଵରୀ ଶଙ୍କର । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ତାଙ୍କ ନାଁ ସବୁ ହେଲା ଅର୍ଜିତ୍ ଶଙ୍କର, ଐଶ୍ବର୍ଯ୍ୟା ଶଙ୍କର ଓ ଆଦିତି ଶଙ୍କର । ଝିଅ ଐଶ୍ବର୍ଯ୍ୟାଙ୍କ ବିବାହ କ୍ରିକେଟର ରୋହିତ ଦାମୋଦରନଙ୍କ ସହ ହୋଇଛି ।
ଶଙ୍କରଙ୍କର ଆଗାମୀ ଫିଲ୍ମ ଲିଷ୍ଟ
ଶଙ୍କର ଏବେ ‘ଗେମ ଚେଞ୍ଜର’ ଓ ‘ଇଣ୍ଡିଆନ-୨' ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି । ଗେମ ଚେଞ୍ଜରରେ କିୟାରା ଆଡ଼ଭାନୀ ଓ ରାମଚରଣ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ପାଇଁ ସେ ୪୦ କୋଟି ଟଙ୍କା ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହା ହାଇଏଷ୍ଟ ପେଡ ଡ଼ାଇରେକ୍ଟର ଶ୍ରେଣୀରେ ଦ୍ଵିତୀୟ ନମ୍ବର ଅଟେ । ପ୍ରଥମ ନମ୍ବରରେ ‘ବାହୁବଳୀ’ର ନିର୍ଦ୍ଦେଶକ ଏସ.ଏସ. ରାଜମୌଲି ଅଛନ୍ତି ଯିଏ ଗୋଟେ ଫିଲ୍ମ ପାଇଁ ୭୫ କୋଟି ଟଙ୍କା ଦାବି କରନ୍ତି ।