କନକ ବ୍ୟୁରୋ : ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ୍ । ଚଳିତବର୍ଷ ୧୦ଟି ଟିମ୍ ରହିଥିବାରୁ ଏଥରର ଆଇପିଏଲ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି । ଆଉ ଏହାରି ଭିତରେ ସବୁ ଦଳ ଅଭ୍ୟାସ ଆରମ୍ଭ କରିଥିବା ବେଳେ ମ୍ୟାଚ୍ ପାଇଁ ରଣନୀତି ପ୍ରସ୍ତୁତି କରୁଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ସେନ୍ ୱାଟସନ୍ । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେନ୍ ୱାଟସନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତି ମିଳିଛି । ତେବେ ପୂର୍ବରୁ ରିକି ପଣ୍ଟି ଦିଲ୍ଲୀ ଦଳର ହେଡ୍ କୋଚ୍ ଦାୟିତ୍ୱ ନେଇଥିବା ବେଳେ, ଅଜିତ ଅଗରକର, ପ୍ରବୀଣ ଆମରେ ଆସିଷ୍ଟାଣ୍ଟ କୋଚ୍ ରହିଛନ୍ତି । ସେହିପରି ଜେମ୍ସ ହୋପ୍ସ ଦଳର ବୋଲିଂ କୋଚ୍ ରହିଛନ୍ତି ।
ଋଷଭ ପନ୍ଥଙ୍କ ନେତୃତ୍ୱରେ ଗତ ଆଇପିଏଲ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଲିଗ୍ ମ୍ୟାଚର ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା ଦିଲ୍ଲୀ । ତେବେ ପ୍ଲେ-ଅଫ୍ସରେ ପରାଜିତ ହୋଇଥିବା ବେଳେ ଚଳିତ ସିଜିନରେ ଦଳ ଚମ୍ପିଆନ୍ ହେବା ନେଇ ରଣନୀତି ପ୍ରସ୍ତୁତ କରୁଛି । ଆଉ ସେନ୍ ୱାଟସନ୍ ଦଳରେ ସାମିଲ ହେବା ଦିଲ୍ଲୀ ପାଇଁ ଖୁସି ଖବର ଆଣିଦେଇଛି ।