କ୍ରିକେଟର ସେନ ୱାର୍ଣ୍ଣଙ୍କ ଦୁର୍ଘଟଣା । ବାଇକ ଚଳାଉଥିବା ବେଳେ ରାସ୍ତାରେ ଘୋଷାଡି ହୋଇ ପଡିଲେ ଅଷ୍ଟ୍ରେଲୀୟ କ୍ରିକେଟର ।

158

କନକ ବ୍ୟୁରୋ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ ଖେଳାଳୀ ସେନ ୱାର୍ଣ୍ଣଙ୍କ ଦୁର୍ଘଟଣା । ବାଇକ ଚଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ୱାର୍ଣ୍ଣ । ତେବେ ଏହି ଦୁର୍ଘଟଣା ସମୟରେ ପୁଅ ଜ୍ୟାକସନ ମଧ୍ୟ ସେନ ୱାର୍ଣ୍ଣଙ୍କ ସହ ଥିଲେ । ଉଭୟ ଗାଡିରୁ ପଡିବା ସହ ଅନେକ ବାଟ ଯାଏଁ ଘୋଷାଡି ହୋଇ ଯାଇଥିଲେ । ଯାହା ଦର୍ଶାଉଥିଲା ଦ୍ରୁତ ଗତିରେ ଗାଡି ଚଳାଉଥିଲେ ସେନ ୱାର୍ଣ୍ଣ । ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ୱାର୍ଣ୍ଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସେନଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେ ଗୁରୁତର ଆହତ ହୋଇନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଦେହ ହାତ ଖଣ୍ଡିଆ ଖାବରା ହୋଇଥିଲେ ମଧ୍ୟ ଗୋଡ କିମ୍ବା ହାତ ଭାଙ୍ଗିନଥିବା ଜାଣିବାକୁ ମିଳିଛି ।

ଆଗାମୀ ଡିସେମ୍ବର ୮ରୁ ଆସେସ ସିରିଜ ଖେଳାଯିବ । ତେଣୁ ତାହା ପୂର୍ବରୁ ଠିକ୍ ହୋଇ କାର୍ଯ୍ୟରେ ଯୋଗ ଦେବେ ବୋଲି ଦୃଢ ଆଶାବାଦୀ ଅଛନ୍ତି ସେନ ୱାର୍ଣ୍ଣ । ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣ ୩୦୦ରୁ ଅଧିକ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ବିଶ୍ୱର ଶ୍ରେଷ୍ଠ ସ୍ପିନର ଭାବେ ପରିଗଣିତ । ଟେଷ୍ଟ କ୍ରିକେଟରେ ସେନ ୱାର୍ଣ୍ଣ ୭୦୮ଟି ୱିକେଟ ନେଇଥିବା ବେଳେ ଦିନିକିଆରେ ୨୯୩ଟି ୱିକେଟ ହାସଲ କରିଛନ୍ତି ।