ପୁଣି ପୁରୀରେ ଶାମୁକା ପାଇଁ ସ୍ୱପ୍ନ ଦେଖାଇଲେ: ଶାମୁକା ବେଳାଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ସଚିବ, ବଦଳିବ ମାଷ୍ଟର୍ ପ୍ଲାନ୍

356

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ । ଜାତୀୟ ସ୍ତରରେ ଏହା ସର୍ବବୃହତ ଏକକ ପ୍ରକଳ୍ପ ଭାବେ ନିର୍ମାଣ ହେବ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି । ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ ପ୍ରକଳ୍ପର ବିକାଶ ନେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ପାଇଁ ୯୭୨ ଏକର ଜମି ଅଧିଗ୍ରହଣ ସରିଥିବାରୁ ଏଥିରେ ତୁରନ୍ତ ପ୍ରାଚୀର ନିର୍ମାଣ କରିବାକୁ ମୁଖ୍ୟ ଶାସନ ସଚିବ ଇଡକୋକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ପୁରୀଠାରୁ ଦକ୍ଷିଣକୁ ପ୍ରାୟ ୧୦ କିମି ଦୂରରେ ତିନି ହଜାର କୋଟି ଟଙ୍କା ବ୍ୟୟରେ ଏହି ‘ଶାମୁକା ବେଳାଭୂମି ପ୍ରକଳ୍ପ’ ନିର୍ମାଣ ପାଇଁ ପ୍ରାୟ ୧୪ ବର୍ଷ ତଳୁ ପ୍ରସ୍ତାବ ରହିଛି। ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ବିରୋଧ ଓ ଆଇନଗତ ବିବାଦ ଯୋଗୁଁ ପ୍ରକଳ୍ପ ବିଳମ୍ବ ହୋଇଚାଲିଥିଲା। ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହୋଇଥିଲେ ବି ସରକାରୀ ସ୍ତରରେ ଏଥି ପାଇଁ ସେତେଟା ତତ୍ପରତା ନ ଥିଲା। ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ୨୦୧୫ ଅକ୍ଟୋବରରେ ସରକାର ଏକ ନୂଆ ନିଗମ ଗଠନ କଲେ। ତାହାର ନାମ ରହିଲା ‘ଶାମୁକା ପର୍ୟ୍ୟଟନ ବିକାଶ ନିଗମ’(ଏସଟିଡିସି)। ଉଦ୍ଦେଶ୍ୟ ଥିଲା ଶାମୁକା ପ୍ରକଳ୍ପ ସମେତ ପାରିପାର୍ଶ୍ବିକ ଅଞ୍ଚଳର ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ଏହି ନିଗମ ତ୍ବରାନ୍ବିତ କରିବ। କିନ୍ତୁ ନିଗମ ଗଠନ ପୂର୍ବରୁ ଶାମୁକା ପ୍ରକଳ୍ପ ଯେମିତି ଧୀମା ଗତିରେ ଚାଲିଥିଲା, ନିଗମ ଗଠନ ହେବାର ୪ ବର୍ଷ ପରେ ମଧ୍ୟ ସମାନ ସ୍ଥିତି। ସେହି ନିଗମଟି କାହିଁକି ଗଠନ କରାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।