ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ୪ ଜଣଙ୍କର ଚାଲିଗଲା ଜୀବନ, ୧୦ରୁ ଅଧିକ ଆହତ ।

107

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମଲି ଜିଲ୍ଲାର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୪ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଅପରାହ୍ନ ସାଢେ ୪ଟା ସମୟରେ ଏହି ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ, ଅନେକ ଏଥିରେ ପ୍ରଭାବିତ ହୋଇଛନ୍ତି । ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିବା ବେଳେ ଆଖପାଖ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ସ୍ଥଳରେ ଆଚାର ଫ୍ୟାକ୍ଟ୍ରି ଥିଲା କିନ୍ତୁ ଏଠାରେ ଅବୈଧ ରୂପରେ ବାଣ ତିଆରି ହେଉଥିବା କୁହାଯାଉଛି ।

ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ଅନେକ ଲୋକ କାମ କରୁଥିଲେ । ଯେଉଁଥିପାଇଁ ମୃତକ ଓ ଗୁରୁତରଙ୍କ ସଂଖ୍ୟା ବଢି ଚାଲିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହାପୂର୍ବରୁ କରନାଲର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା  । ବାରୁଦ ଓ କେମିକାଲ ମିଳାଇବା ବେଳେ ଏଭଳି ବିସ୍ଫୋରଣ ହୋଇଥିଲା । ସେତେବେଳେ ଏହି ବିସ୍ଫୋରଣରେ ଏହି ଫ୍ୟାକ୍ଟ୍ରିର ଛାତ ଉଡି ଯାଇଥିଲା ।