ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା

245

କନକ ବ୍ୟୁରୋ : ସେମିଫାଇନାଲ ନୁହେଁ ବିଶ୍ୱ ଦେଖିଲା ‘ସାମି-ଫାଇନାଲ’ । ସାରା ଦେଶରୁ ଶୁଭୁଛି କେବଳ ସାମି ସାମି ନାରା । ଉତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ, ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ଏକ ବଡ ଘର ତୋଳିପାରିଛନ୍ତି । ୨୦୧୯ ବିଶ୍ୱକପ୍ ସେମିଫାଇନାଲର ପ୍ରତିଶୋଧ ନେବା ସହ ପ୍ରଥମ ଦଳ ଭାବେ ୨୦୨୩ ବିଶ୍ୱକପର ଫାଇନାଲରେ ପହଂଚିଛି ଟିମ୍ ଇଣ୍ଡିଆ । ଆଉ ଏହି ବଡ ବିଜୟ ପଛର ହିରୋ ସାଜିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମି, ଏବଂ ରନମେସିନ୍ ବିରାଟ କୋହଲି ।

ଟିମ୍ ଇଣ୍ଡିଆର ବିଜୟ ପରେ ଏବେ ସେଲିବ୍ରେସନ ମୁଡରେ ପୂରା ଦେଶ । ବାଜା ବାଜୁଛି, ବାଣ ଫୁଟୁଛି, ପୁଣି ପାଳନ ହୋଇଛି ଦୀପାବଳୀ । ଏହି ମ୍ୟାଚରେ ଅନେକ ରେକର୍ଡ ହୋଇଛି । ସାମି ଓ କିଙ୍ଗ କୋହଲି ଇତିହାସ ରଚିଥିବା ବେଳେ ସେପଟେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିକୁ ମଧ୍ୟ ସବୁଠି ପ୍ରଂଶସା କରାଯାଉଛି ।

ଭାରତର ବିଶାଳ ସ୍କୋରକୁ ଲକ୍ଷ୍ୟ ରଖି ନ୍ୟୁଜିଲାଣ୍ଡ ସତର୍କତାର ସହ ଆରମ୍ଭ କରିଥିଲା ବ୍ୟାଟିଂ । କିନ୍ତୁ ଯେଉଁ ପରିସ୍ଥିତିରେ ଯେଉଁ ସମୟରେ ଭାରତକୁ ୱିକେଟ ଆବଶ୍ୟକତା ଥିଲା ତାହା ନେଇଥିଲେ ମହମ୍ମଦ ସାମି । ପ୍ରଥମେ ଓପନିଂ ଯୋଡିକୁ ଆଉଟ କରିଥିଲେ ଏହାପରେ କେନ୍ ୱିଲିୟମସନ ଏବଂ ଡାରେଲ ମିଚେଲ ଯେତେବେଳେ କ୍ରିଜରେ ଜମି ଆସିଥିଲେ ସେହି ସମୟରେ ଅର୍ଥାତ ୩୩ ଓଭରରେ ଟିମ୍ ଇଣ୍ଡିଆକୁ ମ୍ୟାଚରେ ପ୍ରତ୍ୟାବର୍ତନ କରାଇଥିଲେ ସାମି । ୭ଟି ୱିକେଟ୍ ନେଇ ବିଶ୍ୱକପରେ ରଚିଛନ୍ତି ବଡ କିର୍ତୀମାନ । ସେପଟେ ମାଷ୍ଟରବ୍ଲାଷ୍ଟର ସଚିନଙ୍କ ରେକର୍ଡ ଭାଙ୍ଗି ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏପରିକି ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।

ହିଟମ୍ୟାନ୍ ରୋହିତ ଶର୍ମା । ଏଥର ରୋହିତଙ୍କ ବ୍ୟାଟିଂ ସମସ୍ତଙ୍କ ମନ କିଣିଥିବା ବେଳେ ତାଙ୍କ କ୍ୟାପ୍ଟେନ୍ସିକୁ ମଧ୍ୟ ସମସ୍ତେ ପ୍ରଂଶସା କରୁଛନ୍ତି । ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ତାଙ୍କ ଦକ୍ଷ ଅଧିନାୟକତ୍ୱ ପାଇଁ ଦଳ ଜିତିଲା ବୋଲି କୁହାଯାଉଛି । ସଠିକ୍ ସମୟରେ ସଠିକ୍ ବୋଲରଙ୍କ ହାତରେ ବଲ୍ ଧରାଇଥିଲେ ରୋହିତ । ଏବେ ଅପେକ୍ଷା ଆସନ୍ତା ରବିବାରକୁ । କପିଲ୍ ଦେବ ଓ ଧୋନୀଙ୍କ ପରେ ରୋହିତ ଶର୍ମା ବିଶ୍ୱକପ୍ ଟ୍ରଫି ଟେକିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।