ଝିଅ ଆଇସିୟୁରେ ଜୀବନ ସହ ଲଢୁଥିଲା, ବାପା ପଡିଆରେ ଭାରତକୁ ବିଜୟ ଭେଟି ଦେବାକୁ ଲଢୁଥିଲେ । ୟୁଜର୍ସ ପଚାରିଲେ, ଏହି ମ୍ୟାଚ୍ କେମିତି ଭୁଲି ଯାଉଛନ୍ତି ଲୋକେ ।

1,022

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅନେକ କ୍ରିକେଟ ପ୍ରେମୀ । ଯେଉଁଥିପାଇଁ ସୋସିଆଲ ମିଡ଼ିଆରେ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଛି । ଭିନ୍ନ ଭିନ୍ନ ଢଙ୍ଗରେ ଟିମ୍ ଇଣ୍ଡିଆକୁ ଟ୍ରୋଲ କରିଛନ୍ତି କିଛି ସମାଲୋଚକ । ତେବେ ଏଭଳି ସମାଲୋଚନାକୁ ନେଇ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସୋସିଆଲ ମିଡ଼ିଆରେ ଟାର୍ଗେଟ କରିଥିଲେ କିଛି ୟୁଜର୍ସ । ମହମ୍ମଦ ସାମିଙ୍କ ଧର୍ମକୁ ନେଇ କିଛି ୟୁଜର୍ସ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଆଉ ଏଭଳି ଟିପ୍ପଣୀ ଦେଇଥିବା ୟୁଜର୍ସଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ ଅନେକ ୟୁଜର୍ସ । ସାମିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ୟୁଜର୍ସଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳୀ । ସଚିନଙ୍କ ଠାରୁ ଆରମ୍ଭ କରି ସେହୱାଗ ଏପରିକି ସାଧାରଣ ଲୋକେ ମଧ୍ୟ ସାମିଙ୍କ ସମର୍ଥନରେ ବାହାରିଥିଲେ । ଏପରିକି ଟ୍ରୋଲର୍ସଙ୍କୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି କିଛି ୟୁଜର୍ସ । ଯେତେବେଳେ ସାମିଙ୍କ ୧୪ ମାସର ଝିଅ ଆଇସିୟୁରେ ଜୀବନ ସହ ସଂଘର୍ଷ କରୁଥିଲେ ଆଉ ସାମି ଭାରତକୁ ବିଜୟ ଭେଟି ଦେବାକୁ ମୈଦାନରେ ଲଢୁଥିଲେ ।

ଏହିଭଳି ଏକ ଘଟଣା ୫ ବର୍ଷ ପୂର୍ବେ ୨୦୧୬ ଅକ୍ଟୋବର କୋଲକାତାରେ ଦେଖିବାକୁ ମିଳିଥିଲା । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଥାଏ । ଅଚାନକ ସାମିଙ୍କ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ନେଇ ଖବର ଆସିଲା । ଜ୍ୱର ଏତେ ଅଧିକ ଥିଲା ଯେ, ନିଶ୍ୱାସ ନେବା ବି କଷ୍ଟକର ହୋଇପଡୁଥିଲା । ଆଉ ଯେଉଁଥିପାଇଁ କୁନି ଝିଅକୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା । ଜଣେ ବାପାଙ୍କ ପକ୍ଷେ ଏହି କଥା ଶୁଣି ମ୍ୟାଚ୍ ଖେଳିବା ଏତେ ସହଜ କଥା ନୁହେଁ । କାରଣ ଝିଅ ଯେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଥିଲା । କିନ୍ତୁ ଏଭଳି କ୍ଷେତ୍ରରେ ପଡିଆ ଛାଡି ଯାଇନଥିଲେ ସାମି । ଏହି ମ୍ୟାଚରେ ୬ଟି ୱିକେଟ ନେବା ସହ ଭାରତର ବିଜୟ ପଛରେ ବଡ ଭୂମିକା ଗ୍ରହଣ କରିଥିଲେ ସାମି । ଆଉ ସବୁଠୁ ବଡ କଥା ହେଲା, ଏହି ମ୍ୟାଚ୍ ବିଜୟୀ ହେବା ସହ ଟେଷ୍ଟ କ୍ରିକେଟରେ ନମ୍ବର ୱାନ ସ୍ଥାନ ଦଖଲ କରିଥିଲା ଭାରତ ।  କିନ୍ତୁ ସାମିଙ୍କ ଏହି ତ୍ୟାଗକୁ ସତେ ଯେପରି ଭୁଲି ଯାଇଛନ୍ତି ଟ୍ରୋଲର୍ସ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଟ୍ରୋଲର୍ସ ତାଙ୍କ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଦେଶବାସୀ । ଆସନ୍ତା ୩୧ରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ସେମିଫାଇନାଲ ଦୌଡରେ ରହିବାକୁ ହେଲେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହେବା ଆବଶ୍ୟକ ।