କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ନିଜର ଘାତକ ବୋଲିଂ ବଳରେ ପ୍ରତିଟି ଭାରତୀୟଙ୍କ ନଜରରେ ଏବେ ହିରୋ ସାଜିଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଭାରତକୁ ଫାଇନାଲରେ ଏଣ୍ଟ୍ରି କରାଇଛନ୍ତି ସାମି । ଏହାସହ ଅନେକ ନୂଆ ରେକର୍ଡ ଓ ଇତିହାସ ନିଜ ନାଁରେ କରିଛନ୍ତି ଭାରତର ଏହି ଦ୍ରୁତ ବୋଲର । ବିଶ୍ୱକପରେ ନୂଆ ଇତିହାସ ରଚିବା ପୂର୍ବରୁ ସାମିଙ୍କୁ ଅନେକ ସଂଘର୍ଷର ସୀମା ପାର କରିବାକୁ ପଡିଛି । ଯେଉଁ ସଂଘର୍ଷର ଯାତ୍ରାରେ ପରିବାରବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେମିଫାଇନାଲ ଶାନଦାର ବୋଲିଂ କରିଥିବା ସାମି କେବେ  ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ । ଥରେ ନୁହେଁ ବରଂ ୩ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ସାମି । ଯେଉଁ ସମୟ ସାମିଙ୍କ ପାଇଁ ବେଶ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ରହିଥିଲା । କିନ୍ତୁ ସେହି କଠିନ ସ୍ଥିତିରୁ ବାହାରି ଶ୍ରେଷ୍ଠ ପ୍ରଦର୍ଶନ କରିବା ପଛର କାହାଣୀ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

Advertisment

ଗତ କିଛିବର୍ଷ ହେବ ସାମି ପାରିବାରିକ ବିବାଦରେ ଛନ୍ଦି ହୋଇପଡିଛନ୍ତି । ତେବେ କରୋନା ସମୟରେ ରୋହିତଙ୍କ ସହ ଭର୍ଚୁଆଲ ଆଲୋଚନାରେ ସାମି ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯଚକିତ କରିଦେବ । ଏହି ଆଲୋଚନାରେ ସାମି କହିଥିଲେ, ୨୦୧୫ ବିଶ୍ୱକପରେ ଆହତ ହେବା ପରେ ପୁଣିଥରେ ଟିମକୁ ଫେରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା ଏବଂ ଏହି ସମୟ ମୋ ଜୀବନର ସବୁଠୁ କଷ୍ଟଦାୟକ ସମୟ ଥିଲା । ପାରିବାରିକ ସମସ୍ୟା ଏହାକୁ ଦ୍ୱିଗୁଣିତ କରିଥିଲା । ଏହି ସମୟରେ ଆଇପିଏଲ ଖେଳିବାକୁ ୧୦ ଦିନ ବାକି ଥିବା ବେଳେ ମୋର ଗାଡି ଦୁର୍ଘଟଣା ହୋଇଥିଲା । ସେତେବେଳେ ମୋତେ ନେଇ ମିଡ଼ିଆରେ ନାନାଦି ଆଲୋଚନା ହେଲା ।

ସାମି କହିଛନ୍ତି, ସେହି ସମୟରେ ଯଦି ମୋତେ ପରିବାରର ସାଥ ମିଳିନଥାନ୍ତା ତେବେ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ଏପରିକି ସେହି ସମୟରେ ମୁଁ ୩ ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲି । କିନ୍ତୁ ସେତେବେଳେ ମୋର ପରିବାରର ସଦସ୍ୟ ମୋ ଉପରେ ନଜର ରଖିବାକୁ ପାଖେ ପାଖେ ରହୁଥିଲେ । ମୋ ଘର ୨୪ ମହଲା ଉପରେ ଥିଲା । କାଳେ ମୁଁ ଆପାର୍ଟମେଣ୍ଟରୁ ଯେପରି ଡେଇଁନପଡେ ସେଥିପାଇଁ ଅଧିକାଂଶ ସମୟ ପରିବାରର କେହି ନା କେହି ମୋ ଆଖପାଖରେ ରହୁଥିଲେ । ସେତେବେଳେ ମୋ ପରିବାରର ସହଯୋଗ ହିଁ ମୋର ମନୋବଳ ବଢାଇଥିଲା । ସମସ୍ତେ ଖେଳରେ ଧ୍ୟାନ ଦେବାକୁ କହୁଥିଲେ । ଚାପରେ ଥିବାରୁ କଣ କେତେବେଳେ କରୁଥିଲି ତାହା ମଧ୍ୟ ଠିକରେ ଜାଣିପାରୁନଥିଲି । ଅନେକ ସମୟରେ ଭାରି ଦୁଃଖ ଅନୁଭବ ହେଉଥିଲା । କିନ୍ତୁ ମୋ ଭାଇ, ବନ୍ଧୁ ଓ ପରିବାରବର୍ଗ କେହି ମୋର ହାତ ଛାଡିନଥିଲେ । ସେହି ସମୟରେ ଯଦି ମୋ ପାଖରେ କେହି ନଥାନ୍ତେ ତେବେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା । ଏଭଳି ଏକ କଠିନ ପରିସ୍ଥିତିରୁ ବାହାରି ବିଶ୍ୱକପରେ ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିପାଦିତ କରିବା ଛୋଟ ସଫଳତା ନୁହେଁ । ଯାହାକୁ ସମ୍ଭବ କରି ଦେଖାଇଛନ୍ତି ମହମ୍ମଦ ସାମି ।

ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଅନେକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ସାମି । ବିଶ୍ୱକପରେ ସର୍ବାଧିକ ଥର ୫ ୱିକେଟ ହାସଲ କରିଛନ୍ତି ମହମ୍ମଦ ସାମି । ସେହିଭଳି ଗୋଟିଏ ବିଶ୍ୱକପରେ ଭାରତୀୟ ବୋଲର ଭାବେ ସର୍ବାଧିକ ୱିକେଟ ହାସଲ କରି ଜାହିର ଖାନଙ୍କ ରେକର୍ଡ ଭାଙ୍ଗିଛନ୍ତି ସାମି । ଏହାପୂର୍ବରୁ ଜାହିର ୨୦୧୧ ବିଶ୍ୱକପରେ ୨୧ଟି ୱିକେଟ ହାସଲ କରିଥିଲେ । ସାମି ଏବେସୁଦ୍ଧା ଚଳିତ ବିଶ୍ୱକପରେ ୨୩ଟି ୱିକେଟ ହାସଲ କରିଛନ୍ତି ।