କନକ ବ୍ୟୁରୋ: ପୁଣି ଟିମ୍ ଇଣ୍ଡିଆ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସାମି । ସେମିଫାଇନାଲରେ କିୱି ବ୍ୟାଟରଙ୍କୁ ନିଜର ଜବରଦସ୍ତ ସୁଇଂ ଓ ପେସ୍ ଦ୍ୱାରା ଘାଇଲା କରିଛନ୍ତି ସାମି । କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ଭାରତକୁ ଦେଇଛନ୍ତି ଜବରଦସ୍ତ ବିଜୟ । ବିଜୟ ସହ ଫାଇନାଲରେ ପହଂଚିଛି ଭାରତ । ୫୭ ରନ୍ ଦେଇ ୭ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Advertisment

ବିଶ୍ୱକପ୍ର ପ୍ରଥମ ଚାରୋଟି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ସାମି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ହେବା ଭାରତ ଓ ତାଙ୍କ ପାଇଁ ବରଦାନ ସଦୃଶ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ପ୍ରତିଫଳନ ଭାରତର ପ୍ରଦର୍ଶନ ଉପରେ ଦେଖିବାକୁ ମିଳିଛି । କେବଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍କୁ ଛାଡ଼ିଦେଲେ ବାକି ୫ଟି ମ୍ୟାଚରେ ୨୩ଟି ୱିକେଟ୍ ନେଇ ବିଶ୍ୱକପରେ ଟପ୍ ୱିକେଟ୍ ଟେକର ବନିଛନ୍ତି ସାମି । ଏଥିସହ ଭାରତ ପକ୍ଷରୁ ବିଶ୍ୱକପରେ ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ କରିଛନ୍ତି ସାମି । ୨୦୧୧ ସଂସ୍କରଣରେ ଜାହିର ଖାନ୍ ୨୧ ୱିକେଟ୍ ନେଇଥିଲେ । କିନ୍ତୁ ସାମି ମାତ୍ର ୬ଟି ମ୍ୟାଚ୍ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଚଳିତ ବିଶ୍ୱକପ୍ରେ ସାମି ଏପର୍ଯ୍ୟନ୍ତ ତିନି ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି । ହାର୍ଦ୍ଦିକଙ୍କ ଆହତ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ ପାଇଥିଲେ ସାମି । ଆଉ ଏହି ମ୍ୟାଚ୍ରେ ୫ ୱିକେଟ୍ ନେଇ ଦମ୍ ଦେଖାଇଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୪ ୱିକେଟ୍, ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ ୱିକେଟ୍ ନେଇଥିଲେ ସାମି । ଫାଇନାଲ୍ରେ ପୁଣିଥରେ ସାମିଙ୍କ ଠାରୁ ଆଉଏକ ମ୍ୟାଚ୍ ବିଜୟୀ ସ୍ପେଲ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ପ୍ରେମୀ ଆଶା ରଖିଛନ୍ତି ।