କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ ।

567

କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଫ୍ରାଞ୍ଚାଇଜ । ନିଲାମୀ ଶେଷ ହେବା ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ମଧ୍ୟରେ ହୋଇଥିବା ଟ୍ରେଡକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଖାସକରି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହୋଇଥିବା ଟ୍ରେଡ ସମସ୍ତଙ୍କୁ ଚକିତ କରିଥିଲା । କାରଣ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକଙ୍କୁ ଦଳରେ ପୁଣିଥରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇଛି ମୁମ୍ବାଇ । ତେବେ ଏହି ଟ୍ରେଡକୁ ନେଇ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି ଗୁଜୁରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ।

ହାର୍ଦ୍ଦିକ ଗୁଜୁରାଟ ଟାଇଟନ୍ସ ଛାଡିବା ପରେ ଶୁଭମନ ଗିଲଙ୍କୁ ମିଳିଛି ଦଳର ଅଧିନାୟକ ଭାର । ଏସବୁ ଭିତରେ ମହମ୍ମଦ ସାମି କହିଛନ୍ତି, କେହି ଦଳ ଛାଡିଦେଲେ କାହା ଉପରେ ଫରକ ପଡେନି । ହାର୍ଦ୍ଦିକ ଦଳ ଛାଡିବାକୁ ଚାହୁଁଥିଲେ ଏବଂ ସେ ଦଳ ଛାଡିଦେଲେ । ଅଧିନାୟକ ଭାବେ ଗୁଜୁରାଟ ଟାଇଟନ୍ସ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ହାର୍ଦ୍ଦିକ ଏବଂ ଦଳକୁ ଥରେ ଚାମ୍ପିୟନ ମଧ୍ୟ କରିଛନ୍ତି । ଜୀବନସାରା ଗୁଜୁରାଟ ଟିମରୁ ଖେଳିବାକୁ ସେ ଅନୁବନ୍ଧିତ ନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୨ରେ ଗୁଜୁରାଟ ଟାଇଟନ୍ସକୁ ବିଜୟୀ କରିଥିଲେ । ଏହାପରେ ୨୦୨୩ରେ ଫାଇନାଲ ମୁକାବିଲା ଖେଳିଥିଲେ ମଧ୍ୟ ଦଳକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।