ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଲଜ୍ଜାଜନକ ଘଟଣା । ମା’କୁ ଅଚେତ କରି ନାବାଳିକାକୁ ଦୁଷ୍କର୍ମ

Advertisment
ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଲଜ୍ଜାଜନକ ଘଟଣା । ମା’କୁ ଅଚେତ କରି ନାବାଳିକାକୁ ଦୁଷ୍କର୍ମ

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପୁଣି ଲଜ୍ୟା। ଜଣେ ନାବାଳିକା ଝିଅଙ୍କୁ ହାତ ଗୋଡ଼ ବାନ୍ଧି ଜଣେ ବିବାହିତ ଯୁବକ ଦୁଷ୍କର୍ମ କରିଥୁବା ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମକାରି ଯୁବକ ନାବାଳିକାଙ୍କ ମାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥୁବା ଦେଖିବାକୁ ମିଳିଛି। ମା’ ଏବଂ ଝିଅ ନିଜ ଜମିରେ କାମ ସାରି ଫେରିବା ସମୟରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୋଗକୁ ଭିତ୍ତିିକରି ପୁଲିସ ଘଟଣାର ତଦନ୍ତ କରୁଛି। ଆକ୍ରମଣର ଶିକାର ହୋଇଥିବା ମା’ଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳର ମା ଏବଂ ତାଙ୍କ ୧୫ ବର୍ଷୀୟା ନାବାଳିକା ଝିଅ ଗତକାଲି ସକାଳୁ ନିଜ ଜମିକୁ କାମ କରିବାକୁ ଯାଇଥିଲେ। ଜମି କାମ ସାରି ଉଭୟ ମା’ ଏବଂ ଝିଅ ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ହର୍ମିମୁଣ୍ଡା ଗ୍ରାମର ତୁଲାରାମ ମାଝୀ (୨୫)ଉଭୟ ମା’-ଝିଅଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲା। ଅଭିଯୁକ୍ତ ପ୍ରଥମେ ମା’ଙ୍କ ମୁହଁକୁ ଏକ ପଥର ମାରି ରକ୍ତାକ୍ତ କରିଥିଲା। ମା’ ଯନ୍ତ୍ରଣାରେ ଛୋଟପଟ ହୋଇ ଅଚେତ ହୋଇ ତଳେ ପଡିଯିବା ପରେ ନାବାଳିକା ଝିଅଙ୍କ ହାତଗୋଡ଼ ବାନ୍ଧି ମକା କ୍ଷେତ ଭିତରକୁ ଟାଣି ନେଇଥିଲା। ସେଠାରେ ସେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଛାଡି ଚାଲିଯାଇଥିଲା।

ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା’ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ନାବାଳିକା ଝିଅ କାନ୍ଦି କାନ୍ଦି ଘରକୁ ଆସି ପରିବାର ନିକଟରେ ସବୁ କଥା କହିଥିଲା। ତେବେ ଝିଅଙ୍କ ବାପା ଏନେଇଁ ଗତକାଲି ରାତିରେ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥଲା। ଆଜି ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡା ଗ୍ରାମ ନିକଟରୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ଆଜି ପୀଡିତାର ଡାକ୍ତରୀ ମାଇନା ସରିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଶ୍ରୀ ନାୟକ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe