ନିଜ ଦୃଷ୍ଟିହୀନ ମା’କୁ ନିଛାଟିଆ ଜଙ୍ଗଲରେ ଛାଡ଼ି ଚାଲିଯାଉଥିଲେ ଦୁଇ ପୁଅ । ପୋଲିସ ଦେଖିଲା, ସେହିଠାରେ ହିଁ ନିର୍ଦ୍ଧୁମ୍ ପିଟିଲା…

198

କନକ ବ୍ୟୁରୋ: ମାଛି ଭଣ ଭଣ, ଅଜଣା ଜଙ୍ଗଲ ବଣ । ଚାରିପଟେ କେହିନଥିବା ଭାବି ନିଜ ଜନ୍ମ କଲା ମା’କୁ ନିଛାଟିଆ ଜାଗାରେ ଏକା ଛାଡ଼ିଦେଲେ ଦୁଇ ପୁଅ । ମା’ ଆଖିକୁ ଦେଖାଗଲାନି ବୋଲି ସେ ହୋଇଗଲା ପର, ଆଉ ତାକୁ ମରିବା ପାଇଁ ତା’ ଅଜାଣତରେ ଘରେ ଶୋଇଥିବାବେଳେ ଉଠାଇ ଆଣି ଅଜଣା ସ୍ଥାନରେ ସ୍ନେହମୟୀକୁ ଛାଡ଼ିଦେଲେ ଏହି ଦୁଇ ସୈତାନ । ଏଭଳି ଅମାନବୀୟ ଦୃଶ୍ୟକୁ ଯିଏ ଦେଖୁଛି ତା’ ମୁଣ୍ଡ ତଳକୁ ହୋଇଯାଉଛି ।

ଗୋଳନ୍ଥରା ଥାନା ଅନ୍ତର୍ଗତ ଚଟି ଅଞ୍ଚଳର ବାସିନ୍ଦା ହେଉଛନ୍ତି ବୃଦ୍ଧା ବିଜୟା ପଟ୍ଟନାୟକ, ବୟସ ୮୦ ଡେଇଁଲାଣି । ଦୀର୍ଘବର୍ଷ ହେବ ତାଙ୍କ ସ୍ୱାମୀ ପରପାରିକୁ ଯିବାପରେ ଧିରେ ଧିରେ ଦୃଷ୍ଟିଶକ୍ତି ବି ଚାଲିଗଲା । ସେବେଠାରୁ ସେ ନିଜ ଭିନ୍ନକ୍ଷମ ଭାଇ ଓ ଭଉଣୀ ପାଖରେ ରହୁଥିଲେ କିନ୍ତୁ ଅର୍ଥାଭାବ ଯୋଗୁଁ ଚଳିବା ମୁସକିଲ ହୋଇପଡ଼ିଲା । ତେଣୁ ଘରୁ ବାହାରିଯିବାକୁ ତାଙ୍କ ଭାଇ-ଭଉଣୀ ବାଧ୍ୟ କଲେ, ଏହାକୁ ସହିନପାରି ଦୁଇ ପୁଅ ମାଆକୁ ଆଣି ଭଞ୍ଜନଗରର ଏକ ନିଛାଟିଆ ଜାଗାରେ ଛାଡ଼ିଦେଉଥିଲେ ।

ସୂଚନା ମୁତାବକ, ବୃଦ୍ଧା ବିୟଜାଙ୍କ ଦୁଇ ପୁଅ ଦିବ୍ୟାଙ୍ଗ ଏବଂ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ଠିକ୍ ନାହିଁ । ଦାଦା ଓ ନାନୀଙ୍କ କଥାକୁ ସହି ନପାରି ନିଜ ୮୦ ବର୍ଷର ମାକୁ ଘରୁ ଟେକି ନେଇ ଭଂଜନଗର ସହରରେଥିବା ଲୋହରା ଖଣ୍ଡି ନଦୀର ଏକ ନିଛାଟିଆ ଜାଗାରେ ଛାଡ଼ି ଚାଲିଯାଉଥିଲେ । ଏତିକିବେଳେ କିଛି ଲୋକ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଦୁଇ ପୁଅକୁ ନିସ୍ତୁକ ମାଡ଼ ମାରି ବିଜୟାଙ୍କୁ ଉଧାର କରି ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି ।

ସେ ଯାହା ବି ହେଉ, ନିଜ ଜନ୍ମକଲା ମା’କୁ ଯଦି ନଦେଖାଯାଏ ତାକୁ କ’ଣ ଆମେ ଜଙ୍ଗଲରେ ଛାଡ଼ିଦେବା? ମା’ର ମାନସିକ ସ୍ଥିତି ଯଦି ନଠିକ୍ ରୁହେ ତେବେ ସେ କ’ଣ ଆମ ଉପରେ ବୋଝ ପାଲଟି ଯାଏ କି? ଏମିତି କିଛି ଅନେକ ପ୍ରଶ୍ନ ଆଜିର ସଭ୍ୟ ଓ ଶିକ୍ଷିତ ଆଧୁନିକ ସମାଜକୁ ଭାବିକୁ ତର୍ଜମା କରିବାକୁ ପଡ଼ିବ । ନଚେତ୍ ଭଞ୍ଜନଗର ଭଳି ଏମିତି ଅନେକ ଘଟଣା ପ୍ରତିଦିନ ଆମ ପିଠିପଛପଟେ ଘଟୁଥିବ…