କନକ ବ୍ୟୁରୋ : ଆଲବମରେ ହିରୋଇନ କରାଇଦେବାର ଲୋଭ ଦେଖାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅପହରଣର ସୁଟିଂ ଚାଲିଛି କହି ପୀଡ଼ିତାଙ୍କୁ ଭରତପୁରର ଏକ ଘର ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ସକାଳେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ଏହି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ତେବେ ପୁଲିସ ଛାନ୍‌ଭିନ୍ ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି । ପୁଲିସ ଭିଡିଓ ସୁଟିଂ ହୋଇଥିବା ଘର ଯାଞ୍ଚ କରି କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଓ ଅଭିଯୁକ୍ତ ପ୍ରଯୋଜକକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

Advertisment

ଅଭିଯୋଗ ଅନୁସାରେ, ନାବାଳିକା ଅଭିନେତ୍ରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ସେ ବିଭିନ୍ନ ଆଲ୍‌ବମ୍‌ରେ ପାର୍ଶ୍ବ ଅଭିନେତ୍ରୀ ଭାବେ କାମ କରନ୍ତି । କିଛି ଦିନ ପୂର୍ବେ ତାଙ୍କୁ ଏକ ଆଲ୍‌ବମ୍‌ରେ ନାୟିକା ଭାବେ ଅଭିନୟ କରିବାକୁ ଅଫର୍‌ ମିଳିଥିଲା । ପ୍ରେମିକାର ପ୍ରତ୍ୟାଖାନ ଯୋଗୁଁ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାର ଚର୍ଚ୍ଚିତ କାହାଣୀକୁ ନେଇ ରଚିତ ଏକ ଦୁଃଖପୂର୍ଣ୍ଣ ଗୀତରେ ତାଙ୍କୁ ଅଭିନୟ କରିବାକୁ କୁହାଯାଇଥିଲା । ପ୍ରଯୋଜକ ଓ ଉକ୍ତ ସଂସ୍ଥା ତାଙ୍କ ପାଇଁ ଅପରିଚିତ ଥିଲେ ବି ନାୟିକା ହେବାର ଲୋଭରେ ସେ ରାଜି ହୋଇଥିଲେ ।

ସୁଟିଂର ଧାର୍ଯ୍ୟ ତାରିଖ ଅନୁସାରେ ନାବାଳିକାଜଣକ ଗତକାଲି ବସ୍‌ରେ ଆସି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ । ଯୋଗାଯୋଗ କରିଥିବା ଯୁବକ ତାଙ୍କୁ ସାଙ୍ଗରେ ନେଇ ଭରତପୁର ଅଞ୍ଚଳକୁ ଯାଇଥିଲେ । ପ୍ରଥମେ ଏକ ମନ୍ଦିରରେ ସୁଟିଂ ହୋଇଥିଲା । ସନ୍ଧ୍ୟାରେ ଗୀତରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ କରିବାକୁ ଏକ ଘରକୁ ସମସ୍ତେ ଯାଇଥିଲେ। ସୁଟିଂ ବାହାନାରେ ପ୍ରଥମେ ନାବାଳିକାର ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହା ପରେ ନିଜେ ପ୍ରଯୋଜକ ତାକୁ ରାତି ତମାମ ଦୁଷ୍କର୍ମ କରିଚାଲିଥିଲେ ।

କ୍ୟାମେରାମ୍ୟାନ୍‌ ଦୁଷ୍କର୍ମ ସମୟରେ ଚିତ୍ରକୁ ରେକର୍ଡିଂ କରି ଚାଲିଥିଲେ। ସକାଳେ ସେମାନେ ନାବାଳିକାକୁ ଛାଡ଼ି ଦେଇଥିଲେ । ଜୀବନ ବଞ୍ଚାଇବାକୁ ନିରବରେ ଅସହ୍ୟ ଅତ୍ୟାଚାରକୁ ସହିଥିବା ନାବାଳିକା ଫୋନ୍‌ କରି ପରିବାରଲୋକଙ୍କୁ ସବୁ କଥା କହିଥିଲେ । ପରେ ସେମାନେ ମହିଳା ଥାନା ଓ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପ‌ାଇଁ ପୁଲିସ ଭରତପୁରସ୍ଥିତ ଉକ୍ତ ଘରେ ପହଞ୍ଚିବା ବେଳକୁ ସମସ୍ତେ ଫେରାର୍ ହୋଇଯାଇଥିଲେ ।