ସାଲୁ କରିବ ସବୁ କାମ । ପାଠ ପଢାଇବ, ଲୋକଙ୍କୁ ଚିହ୍ନିବ । ଅଙ୍କ କଷିବା ସହ ମଣିଷ ପରି ୯ଟି ଭାଷାରେ କଥା ହେବ ଅଦରକାରୀ ବସ୍ତୁରୁ ତିଆରି ଭାରତର ହ୍ୟୁମାନ ରୋବର୍ଟ ସାଲୁ ।

241

କନକ ବ୍ୟୁରୋ: ବର୍ଜ୍ୟବସ୍ତୁରୁ ହ୍ୟୁମାନ ରୋବର୍ଟ । ଅଦରକାରୀ ଜିନିଷରୁ ତିଆରି ହେଲା ଦେଶୀ ରୋବର୍ଟ । ହଂକଂର ସୋଫିଆ ଭଳି ଭାରତରେ ତିଆରି ହେଲା ସାଲୁ । ସୋଫିଆକୁ ଲକ୍ଷ୍ୟ କରି ଭାରତରେ ତିଆରି ହେଲା ଦେଶୀ ହ୍ୟୁମାନ ରୋବର୍ଟ । ଯାହା ବିଦେଶୀ ହ୍ୟୁମାନ ରୋବର୍ଟ ସୋଫିଆ ଠାରୁ ଅନେକ ଗୁଣରେ ଭଲ । ତେବେ ଆପଣ ଅତ୍ୟାଧୁନିକ ହ୍ୟୁମାନ ରୋବୋଟ ସୋଫିଆ ବିଷୟରେ ପୂର୍ବରୁ ନିଶ୍ଚିୟ ଶୁଣିଥିବେ । କିନ୍ତୁ ନିକଟରେ ଆଇଆଇଟି ବମ୍ବେର ଜଣେ ଶିକ୍ଷକ ହ୍ୟୁମାନ ରୋବର୍ଟର ଏକ ଭାରତୀୟ ଭର୍ସନ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରଖିଛନ୍ତି ସାଲୁ । ଏହି ‌ରୋବୋଟ ସୋଫିଆଠାରୁ ଅନେକ କୁଶଳୀ ବୋଲି କୁହାଯାଉଛି।

ତେବେ ଆଇଆଇଟି ବମ୍ବେର କେନ୍ଦ୍ରୀୟ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଶିକ୍ଷକ ଦିନେଶ ପଟେଲ ଏକ ହ୍ୟୁମାନ ରୋବୋଟ ପ୍ରୋଟୋଟାଇପ ନିର୍ମାଣ କରିଛନ୍ତି। ଏହା ସୋଫିଆ ତୁଳନା ଅନେକ କାମକୁ ଭଲ ଭାବେ କରି ପାରୁଛି ବୋଲି ଦାବି କରାଯାଉଛି । ଯଦି ଆପଣ ସାଲୁକୁ ଦେଖିବେ ତେବେ ସୋଫିଆ ଭର୍ସନର ଶସ୍ତା ଭର୍ସନ ଭଳି ଦେଖାଯିବ। ଶିକ୍ଷକ ଦିନେଶ ଅନେକ ବର୍ଷ କଠିନ ପରିଶ୍ରମ କରିବା ପରେ ସାଲୁ ନାମକ ଏହି ରୋବୋଟକୁ ତିଆରି କରିଛନ୍ତି।

ଦିନେଶଙ୍କ କହିବା କଥା, ସାଲୁ ଏକ ମାତ୍ର ରୋବୋଟ ଯାହାକୁ ୧୦୦ ପ୍ରତିଶତ ଅଦରକାରୀ ପଦାର୍ଥରେ ତିଆରି କରାଯାଇଛି। ସାଲୁକୁ ତିଆରି କରିବା ପାଇଁ ଖରାପ ପ୍ଲାଷ୍ଟିକ, କାର୍ଡବୋର୍ଡ, କାଠି ଓ ଆଲୁମିନିୟମ୍ ବ୍ୟବହାର କରାଯାଇଛି। ଭାରତରେ ତିଆରି ହୋଇଥିବା ରୋବୋଟ ସାଲୁ ପାଇଁ ପାଖାପାଖି ୫୦,୦୦୦ଟଙ୍କା ଖର୍ଚ୍ଚ ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରୁ ଦିନେଶ ଏହି ରୋବର୍ଟ ତିଆରି କରିବାର ପ୍ରେରଣା ପାଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ସାଲୁ ପାଖାପାଖି ୯ଟି ଭାରତୀୟ ଭାଷାରେ କଥା କହି ପାରିବ। ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ମାଲାୟାଲମ, ତାମିଲ, ତେଲୁଗୁ, ବଙ୍ଗଳା ଓ ନେପାଳୀ ଭଳି ଭାଷାରେ କଥା କହି ପାରିବ ସାଲୁ । କେବଳ ଏତିକି ନୁହେଁ, ସାଲୁ କମ୍ପ୍ୟୁଟର କ୍ଲାସରେ ପିଲାଙ୍କୁ ପାଠ ବି ପଢ଼ାଇ ପାରିବ । ସ୍କୁଲ, କଲେଜରେ ସାଲୁ କମ୍ପୁଟର ଟିଚର ବନିପାରିବ । ଚୁଟକିରେ ଗଣିତ ସମାଧାନ କରିବା ସହ କୁଇଜ, ଜିକେରେ ବି ଭାଗ ନେଇପାରିବ ରୋବର୍ଟ । ଏଥିସହିତ ଏହି ରୋବୋଟ ଲୋକମାନଙ୍କ ଚେହେରା ମନେ ରଖି ଚିହ୍ନି ବି ପାରିବ। ତେଣୁ ଏସବୁକୁ ଦୃଷ୍ଟିରେ ରଖି କୁହାଯାଉଛି କି ସାଲୁକୁ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କଲେ ସଫଳତା ମିଳିପାରିବ ।